ମା’ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିରରେ ସମ୍ପନ୍ନ ହୋଇଛି ତ୍ରିଶୂଳ ଓ ଧ୍ୱଜା ସ୍ଥାପନ

ଗଞ୍ଜାମ:  ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିରରେ ସମ୍ପନ୍ନ ହୋଇଛି ତ୍ରିଶୂଳ ଓ ଧ୍ୱଜା ସ୍ଥାପନ । ଦୀର୍ଘ ୬ ଦିନ ଧରି ଚାଲିଥିଲା ମନ୍ଦିର ପ୍ରତିଷ୍ଠା ଉତ୍ସବ । ଚାଲିଥିଲା ହୋମଜଜ୍ଞ । ଆଜି ଏହି ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ନବନିର୍ମିତ ମନ୍ଦିରରେ ସ୍ଥାପନ କରାଯାଇଛି ତ୍ରିଶୂଳ ଓ ଧ୍ବଜା । ଏହି ଅବସରରେ ମା’ ତାରାତାରିଣୀଙ୍କ ଠାରୁ ରାଜ୍ୟବାସୀଙ୍କ ପାଇଁ ଆଶିଷ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଷିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ ।

ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି ମା ଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ମା ତାରାତାରିଣୀଙ୍କ ପୀଠର ଆଜି ବଦଳିଛି କାୟାକଳ୍ପ । ଏବେ ରୋପ୍‌ ୱେ ସହ ପୀଠକୁ ରହିଛି ସୁନ୍ଦର ରାସ୍ତା । ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି । ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି ।