ନବ ଦାସଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିଲା ଗୋପାଳ, ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

1 min read

ଝାରସୁଗୁଡ଼ା: ସ୍ବର୍ଗତ ନବକିଶୋର ଦାସଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିଲା ଗୋପାଳକୃଷ୍ଣ ଦାସ । ହତ୍ୟା ପାଇଁ ଗୋପାଳ ପୂର୍ବରୁ ଟିକିନିକି ପ୍ଲାନିଂ କରିଥିଲା । ହତ୍ୟା ବେଳେ ଗୋପାଳର ମାନସିକ ଅବସ୍ଥା ସ୍ବାଭାବିକ ଥିଲା । ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ଯୋଗୁଁ ସେ ନବକିଶୋର ଦାସଙ୍କୁ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି । ଏପରିକି ନବକିଶୋର ଦାସ ଓ ତାଙ୍କ ସମର୍ଥକଙ୍କଠାରୁ ଜୀବନ ପ୍ରତି ଭୟ ଥିବା ଗୋପାଳ ଅନୁଭବ କରୁଥିଲା । ତେଣୁ ସେ ସୁସ୍ଥ ମସ୍ତିଷ୍କରେ ନବକିଶୋର ଦାସଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସେହିପରି ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିଲା ଗୋପାଳ । ତା’ର ପରିବାର ଲୋକେ ଗୋପାଳ ବାଇପୋଲାର ଡିଜଅର୍ଡରରେ ପୀଡ଼ିତ ଥିବା ନେଇ ଅଭିଯୋଗ କରିବା ପରେ ଡିଏମଇଟିଙ୍କ ଦ୍ବାରା ଏକ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା । ତେବେ ଯାଞ୍ଚରୁ ଗୋପାଳଠାରେ ସେପରି କୌଣସି ମାନସିକ ରୋଗ ନଥିବା ଜଣାପଡିଥିଲା । ଏହାପରେ ଗୋପାଳର ସହକର୍ମୀ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ତା’ର ମାନସିକ ସ୍ଥିତି ସ୍ବାଭାବିକ ଥିବା ଜଣାପଡିଥିଲା । ତଦନ୍ତ ବେଳେ ମଧ୍ୟ ଗୋପାଳ ସହଯୋଗ କରିବା ସହ ପଚରା ଯାଇଥିବା ସମସ୍ତ ପ୍ରଶ୍ନର ସ୍ବାଭାବିକ ଭାବେ ଉତ୍ତର ଦେଇଥିଲା । ତେଣୁ ଗୋପାଳର ମାନସିକ ସ୍ଥିତି ସ୍ବାଭାବିକ ଥିବା ତଦନ୍ତ ବେଳେ ଜଣାପଡିଛି।

ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଯୋଗଦେବା ପାଇଁ ଯାଉଥିବା ବେଳେ ଗୁଳିମାଡ଼ରେ ଟଳି ପଡ଼ିଥିଲେ ନବକିଶୋର ଦାସ l ଏହାପରେ କ୍ରାଇମବ୍ରାଞ୍ଚର ପ୍ରାୟ ୧୦ଟି ତଦନ୍ତକାରୀ ଟିମ୍ ଝାରସୁଗୁଡ଼ା, ଭୁବନେଶ୍ବର, ବ୍ରହ୍ମପୁର ସହ ରାଜ୍ୟ ବାହାରେ ମଧ୍ୟ ହତ୍ୟାର ବିଭିନ୍ନ ସମ୍ଭାବ୍ୟ ଦିଗ ନେଇ ତଦନ୍ତ କରିଥିଲା । ଅପରାଧକୁ ବୈଜ୍ଞାନିକ ଧାରାରେ ପ୍ରମାଣିତ କରିବା ପାଇଁ ରାଜ୍ୟ ବାହାରୁ ମଧ୍ୟ ବିଶେଷଜ୍ଞଙ୍କ ସହଯୋଗ ନିଆଯାଇଥିଲା । କ୍ରାଇମସ୍ପଟରେ ରେକର୍ଡିଂ ପାଇଁ ଫାରୋ କ୍ୟାମେରା ବ୍ୟବହାର କରାଯାଇଥିଲା । ଏଲଭିଏ, ପଲିଗ୍ରାଫ, ନାର୍କୋ ଟେଷ୍ଟ ମାଧ୍ୟମରେ ଅଭିଯୁକ୍ତର ବୟାନର ସତ୍ୟତା ନେଇ ଯାଞ୍ଚ କରାଯାଇଥିଲା ।

ନବକିଶୋର ଦାସଙ୍କୁ ହତ୍ୟା ଏବଂ ବ୍ରଜରାଜନଗର ଆଇଆଇସି ପିକେ ସ୍ବାଇଁ ଓ ଜୀବନ କୁମାର ନାୟକଙ୍କୁ ହତ୍ୟା ଉଦ୍ୟମ ନେଇ ଗୋପାଳ ବିରୋଧରେ ଝାରସୁଗୁଡ଼ା JMFC କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି । ଆଇପିସି ଦଫା ୩୦୨, ୩୦୭ ଆର୍ମସ ଏକ୍ଟ ୨୭(୦୧) ଅନୁଯାୟୀ ଚାର୍ଜସିଟ ଦାଖଲ ହୋଇଛି। ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୫୪୩ ପୃଷ୍ଠାର ପ୍ରିଲିମିନେରୀ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଅଧିକାରୀଙ୍କ ସମେତ ୮୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ୫୪୩ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରାଯାଇଛି ।