NH ୫୫ର ଦୂରାବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା

1 min read

ଭୁବନେଶ୍ବର: ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା । ସାରା ରାଜ୍ଯ ଲକ୍ଷ୍ମୀ ବସର ସୁଫଳତା ପାଉଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଲୋକମାନେ ଏହି ସେବା ଭଲରେ ପାଇପାରୁନାହାନ୍ତି । ଅତ୍ଯାଧୁନିକ ଏସି ବିଶିଷ୍ଟ ଲକ୍ଷ୍ମୀ ବସରେ ବି ଆରାମଦାୟକ ଯାତ୍ରା କରିପାରୁନାହାନ୍ତି ଜନସାଧାରଣ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି ।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲାକୁ ସଂଯୋଗ କରିବାରେ ଭାରତର ସବୁଠୁ ଭଲ ଯୋଜନା ହେଉଛି ଲକ୍ଷ୍ମୀ । ଲକ୍ଷ୍ମୀ ବସ ଦ୍ବାରା ରାଜ୍ଯର ଶତପ୍ରତିଶତ ଗାଁ ଉପକୃତ ହୋଇଛି । ଏହି ଯୋଜନାରେ ୧୬୦୦ରୁ ଅଧିକ ବସ ଚାଲୁଛି । ୧୨୨ଟି ଜଗନ୍ନାଥ ଏକ୍ସପ୍ରେସ ଶ୍ରୀକ୍ଷେତ୍ରକୁ ଯାଉଛି । ୬୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଯୋଡ଼ିହେବା ସହ ୩୨ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ସାରା ଓଡ଼ିଶାରେ ଗାଁ ଗୁଡ଼ିକରେ ୯ ହଜାରରୁ ଅଧିକ ବସ ଷ୍ଟାଣ୍ଡ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ଗଡ଼ିବା ଫଳରେ ମାଆ, ବରିଷ୍ଠ ନାଗରିକ ବେଶ୍ ଉପକୃତ ହେଉଛନ୍ତି । ମହିଳା, ଛାତ୍ରଛାତ୍ରୀ, ଦିବ୍ଯାଙ୍ଗମାନେ ମାତ୍ର ୫ ଟଙ୍କାରେ ଯାତାୟାତ କରୁଛନ୍ତି । ଜଗନ୍ନାଥ ଏକ୍ସପ୍ରେସ ବସରେ ବି ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦିଆଯାଉଛି । ଲକ୍ଷ୍ମୀ ବସକୁ ନେଇ ସମସ୍ତେ ଖୁସି ରହିଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ଖୁସି ପାଣିଚିଆ ହୋଇଯାଉଛି । କାରଣ ୫୫ ନମ୍ବର ଜାତୀୟ ରାଜପଥରେ ଯିବା ସମୟରେ ଲୋକମାନେ ଅସୁବିଧା ଭୋଗୁଛନ୍ତି ।

ଭଲ ବସ ହୋଇଥିଲେ ବି ମରଣଯନ୍ତା ରାସ୍ତା ଯୋଗୁ ଆରାମଦାୟର ଯାତ୍ରା ସମ୍ଭବ ହୋଇପାରୁନି । ସବୁବେଳେ ଦୁର୍ଘଟଣା ଭୟ ମଧ୍ଯ ଲାଗି ରହୁଛି । ଏସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ ବିଫଳତା ଯୋଗୁ ହେଉଛି ବୋଲି କହି ସମାଲୋଚନା କରିଛନ୍ତି ସସ୍ମିତ । ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ଯ ସାମାନ୍ଯ ରାସ୍ତାକାମ କରିପାରିନାହାନ୍ତି ଧର୍ମେନ୍ଦ୍ର । ତାଙ୍କ ଉପେକ୍ଷା କାରଣରୁ ଲୋକମାନେ ଆଜି ସମସ୍ଯା ଭୋଗୁଛନ୍ତି ।