ଝାରପଡ଼ା ହାଟରେ ଚାଲିଛି ବିକାଶ କାର୍ଯ୍ୟ, ବ୍ୟବସାୟୀଙ୍କୁ ଉସୁକାଉଛନ୍ତି ସାଂସଦ

ଭୁବନେଶ୍ବର: ଝାରପଡ଼ା ଗଣେଶ ମଣ୍ଡପ ନିକଟରେ ଥିବା ଝାରପଡ଼ା ହାଟକୁ ଉଚ୍ଛେଦ କରାଯାଇ ଆରମ୍ଭ ହୋଇଛି ବିକାଶ କାର୍ଯ୍ୟ । ସାଧାରଣ ପ୍ରଶାସନ ବିଭାଗର ପ୍ରାୟ ୩ ଏକର ୨୪୭ ଡିସିମିଲି ଜମି ବିଡିଏକୁ ହସ୍ତାନ୍ତର କରାଯିବା ପରେ ଚାରିପଟେ ବ୍ୟାରିକେଡ୍‌ ନିର୍ମାଣ ଲଗାଯାଇଛି । ଖୁବ୍ ଶୀଘ୍ର ଏଠାରେ ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ହେବ । ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ବିଏମସି ଏବଂ ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବିଭାଗୀୟ ମନ୍ତ୍ରୀ ଏବଂ ବିଡିଏ ଅଧିକାରୀ ମଧ୍ୟ ବ୍ୟବସାୟୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ଥଇଥାନର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମାର୍କେଟ ପରିଦର୍ଶନ କରିବା ସହ ବ୍ୟବସାୟୀମାନଙ୍କୁ ପ୍ରଶାସନ ବିରୋଧରେ ଉସକାଇଛନ୍ତି । ସେପଟେ ବ୍ୟବସାୟୀମାନେ କହିଛନ୍ତି ଯେ ଏହି ମାମଲାର ରାଜନୀତିକରଣ ହେଲେ ସେମାନଙ୍କ ସମସ୍ୟାର ସମାଧାନ ହେବ ନାହିଁ । ତେଣୁ ରାଜନୀତି କରାନଯାଉ ବୋଲି ସେମାନେ ଅପିଲ କରିଛନ୍ତି ।

ଆମର ରାଜନୀତି ନୁହେଁ, ଥଇଥାନ ଦରକାର ବୋଲି ବ୍ୟବସାୟୀମାନେ ଦାବି କରିଛନ୍ତି । ଅପରାଜିତାଙ୍କ ଗସ୍ତକୁ କଡା ସମାଲୋଚନା କରିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା । ସେ କହିଛନ୍ତି, ଭୋଟ ନ ପାଇବାରୁ ଅପରାଜିତା ଭୋକ ବିକଳରେ ତାଟିଆ କୁମୁଡିଛନ୍ତି । ପୂର୍ବରୁ ସେ ପ୍ରଶାସନିକ ଅଧିକାରୀ ଥିବା ବେଳେ ଏମିତି ରାତିଅଧିଆ ମାର୍କେଟ ଭାଙ୍ଗୁଥିଲେ । ସେତେବେଳେ ସେ କାହା ସହ ଆଲୋଚନା କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଅମରେଶ । ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଅମରେଶ କହିଛନ୍ତି ।