ମସ୍କୋ ହଲ ଆକ୍ରମଣ ଘଟଣା: ଋଷ-ୟୁକ୍ରେନ କଥା କଟାକଟି

1 min read

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ଦୁଇ ବର୍ଷ ବିତି ଗଲାଣି । ନା ୟୁକ୍ରେନ ପଛକୁ ଘୁଞ୍ଚୁଛି, ନା ଋଷ ଆକ୍ରମଣ ବନ୍ଦ କରୁଛି । ଆମେରିକା ଓ ନାଟୋ ରାଷ୍ଟ୍ରଙ୍କ ବଳରେ ଶକ୍ତିଶାଳୀ ଋଷକୁ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ ୟୁକ୍ରେନ ଟକ୍କର ଦେଉଛି । ସେମିତି ନୁହେଁ, ଗତ କିଛିଦିନ ହେବ ୟୁକ୍ରେନ, ଋଷର ବିଭିନ୍ନ ଅଞ୍ଚଳରେ ପାଲଟା ଆକ୍ରମଣ ଆରମ୍ଭ କରିଛି । ଯାହା ଭ୍ଲାଦିମିର ପୁଟନଙ୍କ ଚିନ୍ତା ବଢ଼େଇ ଦେଇଛି । ଏମିତି ସ୍ଥିତିରେ ମସ୍କୋ କନସର୍ଟ ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ରାଷ୍ଟ୍ର ପୁଣି ମୁହାଁମୁହିଁ ହୋଇଛନ୍ତି ।

ସିନେମା ହଲ ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ସ୍ବଷ୍ଟ ଭାବେ କହିଛନ୍ତି ପୁଟିନ । ଯାହାକୁ ୟୁକ୍ରେନ ଖଣ୍ଡନ କରିଛି । ଏକ ଟେଲିଭିଜନ ବାର୍ତ୍ତାରେ ପୁଟିନ କହିଛନ୍ତି, ଆକ୍ରମଣକାରୀମାନେ ନରସଂହାର ସାରି ୟୁକ୍ରେନକୁ ଚାଲିଯାଉଛନ୍ତି । ତେବେ ସେମାନଙ୍କୁ ଧରାଯାଉଛି ।

ଏପଟେ, ଆକ୍ରମଣ ଘଟଣାରେ ମୃତ୍ଯୁ ସଂଖ୍ୟା ୧୫୦ ହୋଇଥିବାବେଳେ ଏହାର ଭିଡିଓ ଓ ଫଟୋ ପ୍ରକାଶ କରିଛି ISIS-K ସଂଗଠନ । ପୁଟିନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତିଙ୍କ ମୁଖ୍ୟାଳୟର ପରାମର୍ଶଦାତା ମିଖାଇଲୋ ପୋଦୋଲ୍ଯାକ । ତେଣେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ଏହା ଏକ ଯୋଜନାବଦ୍ଧ ହତ୍ଯାକାଣ୍ଡ ବୋଲି ସେ କହିଛନ୍ତି ।