ଚାକିରି ନାହିଁ: ଘରେ ବସିଛନ୍ତି ୫ କୋଟି ଭାରତୀୟ

ନୂଆଦିଲ୍ଲୀ: ଅନ୍ୟ ବିକାଶଶୀଳ ଦେଶ ଭଳି ଭାରତରେ ମଧ୍ୟ ବେରୋଜଗାର ଏକ ପ୍ରମୁଖ ସମସ୍ୟା । ଅତ୍ୟଧିକ ଲୋକସଂଖ୍ୟା ଚାକିରି କ୍ଷେତ୍ର ପ୍ରସ୍ତୁତ ପାଇଁ ବଡ ଚ୍ୟାଲେଞ୍ଜ । କରୋନା ମହାମାରୀ ଏହି ସମସ୍ୟାକୁ ଆହୁରି ଜଟିଳ କରି ଦେଇଛି । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଦେଶରେ ବେକାର ଯୁବକଯୁବତୀଙ୍କ ସଂଖ୍ୟା ୫ କୋଟିରୁ ଅଧିକ ରହିଛି । ଯେଉଁଥିରେ ମହିଳାଙ୍କ ସଂଖ୍ୟ ବହୁତ ଅଧିକ । ଅର୍ଥାତ ଚାକିରି କରିବାକୁ ଚାହୁଁଥିବା ୫ କୋଟିରୁ ଅଧିକ ଭାରତୀୟ ବିନା କାମରେ ଘରେ ବସିଛନ୍ତି ।

ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନମୀ (ସିଏମଆଇଇ)ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଭାରତରେ ମୋଟ ୫.୩ କୋଟି ଲୋକ ଲୋକଙ୍କ ପାଖରେ ରୋଜଗାର ନାହିଁ । ଏଥିରେ କେବଳ ମହିଳାଙ୍କ ସଂଖ୍ୟା ୧.୭ କୋଟି । ଘରେ ବସିଥିବା ଲୋକଙ୍କ ସଂଖ୍ୟା ଅଧିକ, ଯେଉଁମାନେ ନିୟମିତ କାମ ଖୋଜୁଛନ୍ତି । ସିଏମଆଇଇ ଅନୁସାରେ କାମ ଖୋଜୁଥିଲେ ମଧ୍ୟ ଲୋକଙ୍କୁ କାମ ମିଳୁନାହିଁ । ୩.୫ କୋଟିରୁ ଅଧିକ ଲୋକ ନିୟମିତ କାମ ଖୋଜୁଛନ୍ତି । ଏମାନଙ୍କ ମଧ୍ୟରେ ୮୦ ଲକ୍ଷ ମହିଳା ଅଛନ୍ତି । ବାକି ୧.୭ କୋଟି ବେରୋଜଗାର ଲୋକ କାମ କରିବାକୁ ଚାହୁଁଛନ୍ତି । ହେଲେ ସେମାନେ ନିୟମିତ କାମ ଖୋଜିବାରେ ସମୟ ନଷ୍ଟ କରୁନାହାନ୍ତି । ଏମିତି ବେରୋଜଗାର ବ୍ୟକ୍ତିଙ୍କ ମଧ୍ୟରେ ୫୩ ପ୍ରତିଶତ ଅର୍ଥାତ ୯୦ ଲକ୍ଷ ଅଛନ୍ତି । ସିଏମଆଇଇ ତରଫରୁ କୁହାଯାଇଛି ଭାରତରେ ରୋଜଗାର ମିଳିବା ସ୍ତର ବହୁତ କମ ଓ ଏହା ସବୁଠାରୁ ବଡ଼ ସମସ୍ୟା ।

ଗ୍ଲୋବାଲ ଷ୍ଟାଣ୍ଡାର୍ଡ ତଳେ ଭାରତ

ଓ୍ବାଲ୍ଡ ବ୍ୟାଙ୍କ ଅନୁସାରେ ମହାମାରୀ ପୂର୍ବରୁ ବିଶ୍ବ ସ୍ତରରେ ୫୮ ପ୍ରତିଶତ ଲୋକଙ୍କୁ ରୋଜଗାର ମିଳିପାରୁଥିଲା ।  ହେଲେ ୨୦୨୦ରେ କରୋନା ଆସିବା ପରେ ଏହା ୫୫ ପ୍ରତିଶତକୁ ଖସିଯାଇଛି । ଅନ୍ୟପକ୍ଷରେ ଏହି ସମୟରେ ଭାରତରେ ମାତ୍ର ୪୩ ପ୍ରତିଶତ ଲୋକ ରୋଜଗାର ପାଇବାକୁ ସକ୍ଷମ ହୋଇଛନ୍ତି । ସିଏମଆଇଇ ହିସାବରେ ଭାରତରେ ରୋଜଗାର ମିଳିବା ସ୍ତର ଏହାଠାରୁ ମଧ୍ୟ କମ । ଦେଶରେ ମାତ୍ର ୩୮ ପ୍ରତିଶତ ଲୋକଙ୍କୁ ହିଁ ରୋଜଗାର ମିଳିପାରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ମହିଳାଙ୍କ ପାଇଁ ସୁଯୋଗ କମ

ସିଏମଆଇଇ ଅନୁସାରେ ଭାରତକୁ ସୁଦୃଢ ଅର୍ଥାବ୍ୟସ୍ଥା କରିବାକୁ ହେଲେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ରୋଜଗାର ଦେବାକୁ ପଡ଼ିବ । ଗ୍ଲୋବାଲ ଷ୍ଟାଣ୍ଡାର୍ଡ ହାସଲ କରିବାକୁ ହେଲେ ଦେଶର ୧୮.୭୫ କୋଟି ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବା ଆବଶ୍ୟକ । ଏହାସହ କର୍ମ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ପଡ଼ିବ । ଭାରତରେ ମହିଳାଙ୍କ ପାଇଁ ରୋଜଗାର ବିକଳ୍ପ ବହୁତ କମ ରହିଛି । ଏହାବାଦ ମହିଳାଙ୍କ କାମ କରିବାକୁ ନେଇ ସାମାଜିକ ପ୍ରତିବନ୍ଧକ ବହୁତ ରହୁଛି । ଯାହାକୁ ଦୂର କରିବାକୁ ବହୁତ କିଛି ସଚେତନତା କାମ ହାତକୁ ନେବାକୁ ପଡିବ ।

Leave a Reply