MGNREGAରେ କାମ କରି ଶ୍ରମିକ ଭକୁଆ, ଆଉ କିଏ ଉଠାଇ ନେଲା ମଜୁରୀ ଟଙ୍କା

1 min read

କଳାହାଣ୍ଡି: ଗରିବ ଦିନ ମଜୁରିଆଙ୍କ ପାଇଁ ଆରମ୍ଭ ହୋଇଥିଲା ଏମଜିଏନଆରଇଜିଏସ୍ । ଏହି ଯୋଜନାରେ ଗରିବ ଲୋକଙ୍କୁ ଶହେ ଦିନର କାମ ଯୋଗାଇ ଦିଆଯାଇଥାଏ । ହେଲେ କଳାହାଣ୍ଡି ଜିଲ୍ଲାରେ ଏହି ଯୋଜନାରେ ମହା ଘୋଟାଲା ପଦାକୁ ଆସିଛି । ଶ୍ରମିକମାନେ କାମ କରିବାର ବର୍ଷା ହୋଇଗଲାଣି ମଜୁରୀ ପାଇନାହାନ୍ତି । ସରକାରୀ ବାବୁଙ୍କୁ ଗୁହାରୀ କରିବାକୁ ଯାଇ ଜାଣିବାକୁ ପାଇଛନ୍ତି ସେମାନଙ୍କ ପାରିଶ୍ରମିକ ଉଠାଇ ଆଉ କିଏ ନେଇଯାଇଛି । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ, ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଧରିବା ସହ ସେମାନଙ୍କ ମଜୁରୀ ପ୍ରଦାନ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି । ଏମିତି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଲ ରାମପୁର ବ୍ଲକର ମାଓବାଦୀ ଅଧ୍ୟୁଷିତ କର୍ଲାପାଟ ପଞ୍ଚାୟତରୁ ।

ମନରେଗାରେ କାମ କରି ପାରିଶ୍ରମିକ ପାଇ ନାହାନ୍ତି ଶ୍ରମିକ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ବର୍ଷ ହେଲା ସେମାନଙ୍କୁ ମିଳିନି ସେମାନଙ୍କ ମଜୁରୀ । କର୍ଲାପାଟ ପଞ୍ଚାୟତର ଭେଜିଗୁଡ଼ା ଗାଁର ପ୍ରାୟ ୫୦ ଜବକାର୍ଡ ହିତାଧିକାରୀ ମଜରୁୀ ପାଇ ନଥିବା ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ମାଧ୍ୟମରେ ଭେଜିଗୁଡା ଗାଁର ୫୦ ଜଣ ଶ୍ରମିକ ଗାଁ ନିକଟରେ ଥିବା ପାହାଡ଼ରେ ଗାତ ଖୋଳିଥିଲେ ।  ହେଲେ କାମ କରିବାର ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ମଜୁରୀ ମିଳିନି । ହେଲେ ସରକାରୀ କାଗଜପତ୍ର କହୁଛି କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଶ୍ରମିକଙ୍କ ନାଁରେ କାମ ବାବଦକୁ ଟଙ୍କା ଉଠାଇ ନେଇଛନ୍ତି । ସ୍ଥାନୀୟ ବିଡିଓ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜାଣତରେ ଏହି ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।