spot_img

Latest Posts

ଆଜି ଶୀତଳଷଷ୍ଠୀରେ ଦେବୀ ପାର୍ବତୀଙ୍କୁ ବିବାହ କରିବେ ମହାଦେବ

ସମ୍ବଲପୁର : ସଜେଇ ହେଲେଣି ଭୋଳାବାବା । ପ୍ରସ୍ତୁତ ବରଯାତ୍ରୀ । ଦେବୀ ପାର୍ବତୀଙ୍କ ସହ ହେବ ମହାଦେବଙ୍କ ବିବାହ । ବରଯାତ୍ରୀରେ ସାମିଲ ଦେବତା, ଦାନବ, ମାନବ, ଯକ୍ଷ, ଗନ୍ଧର୍ବ, କିନ୍ନରଙ୍କ ସହ ସମସ୍ତ ଜୀବଯନ୍ତୁ । ଶିବ-ପାର୍ବତୀଙ୍କ ଏହି ଦୁଲ୍ଲଭ ପରିଣୟ ଦେଖିବାକୁ ସଭିଏଁ ବ୍ଯାକୁଳ । ସମ୍ବଲପୁର ବୁଢ଼ାରଜା, ନନ୍ଦପଡ଼ା, ମୁଦିପଡା, ଝାଡୁଆପଡ଼ା, ବଡ଼ବଜାର, ଠାକୁରପଡ଼ା ଯାତ୍ରା କମିଟି ସହ ସମସ୍ତ ମନ୍ଦିରରେ ଜୋରଦାର ପ୍ରସ୍ତୁତି । ବିଶାଳ ପଟୁଆରରେ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଦେବୀ ପାର୍ବତୀଙ୍କ ପିତ୍ରାଳୟ ଯିବେ ଭୋଳା ଶଙ୍କର । ବିବାହ ପୂର୍ବରୁ ବର ପିତା ଏବଂ କନ୍ୟା ପିତାଙ୍କ ଘରେ ସରିଛି ହଳଦୀ । ବାଜା, ବାଣ, ରୋଷଣୀରେ କମ୍ପିଲାଣି ସାରା ସମ୍ବଲପୁର ସହର ।
ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବ ବିବାହ ଏବଂ ଶୋଭାଯାତ୍ରା । ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର କଳାକାର । ପାରମ୍ପରିକ ନାଚ ସହ ବିଭିନ୍ନ ବେଶଭୂଷାରେ ନୃତ୍ୟ କରିବେ ଶ୍ରଦ୍ଧାଳୁ । ଯାତ୍ରାର ମୁଖ୍ୟ ଆକର୍ଷଣ ରହିବ କିନ୍ନରଙ୍କ ଶୋଭାଯାତ୍ରା । ଏଥିପାଇଁ ରାଜ୍ଯ ତଥା ରାଜ୍ଯ ବାହାର କିନ୍ନର ଏକାଠି ହୋଇଛନ୍ତି । ବିବାହ ପୂର୍ବରୁ ବର ଓ କନ୍ୟାଙ୍କ ଘରେ ଜମିଥିଲା ତେଲ ହଳଦୀ । ଦେବ ବିବାହର ଏହି ଦୁଲ୍ଲଭ କାର୍ଯ୍ଯକ୍ରମରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ ସମ୍ପର୍କୀୟ, ବନ୍ଧୁବାନ୍ଧବ । ମାତାଙ୍କୁ ହଳଦୀ ଦେବା ସହ ନିଜେ ହଳଦୀଖେଳି ଖୁସି ମନାଇଥିଲେ ସଭିଏଁ । ମଧ୍ୟରାତ୍ରୀରେ ଦେବ ବିବାହ ସରିବା ପରେ ଆସନ୍ତାକାଲି ନବ ଦମ୍ପତିଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ସଂଧ୍ୟାରେ ନଗର ଭ୍ରମଣରେ ବାହାରିବେ ଦେବ ଦମ୍ପତି । ଦୁଇଦିନ ନଗର ଭ୍ରମଣ ପରେ ୨୦ ତାରିଖରେ ହେବ ମନ୍ଦିର ପ୍ରବେଶ । ଏଥିପାଇଁ ଜିଲ୍ଲା ପ୍ରସାସନ ପକ୍ଷରୁ କରାଯାଇଛି ସମସ୍ତ ବ୍ଯବସ୍ଥା ।

Latest Posts

Don't Miss