ଗଜପତି : ସୁଗମ ହେବ ଗଜପତି ଜିଲ୍ଲାର ଆଭ୍ୟନ୍ତରୀଣ ଗମନାଗମନ । ନୂଆଗଡ ଠାରୁ ସେରଙ୍ଗ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ। ଦୀର୍ଘ ଦିନର ଦାବି ପୂରଣ ହେଉଥିବାରୁ ଖୁସି ଅଞ୍ଚଳବାସୀ। ଗୁମ୍ମା, ନୁଆଗଡ, ରା ଉଦୟଗିରି ଓ ମୋହନା ବ୍ଲକ ସଦର ମହକୁମା ଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ଫଳରେ ଅଞ୍ଚଳର ଗମନାଗମନରେ ବାଧା ଉପୁଜିଥିଲା। ସେରଙ୍ଗ ଠାରୁ ନୁଆଗଡ ପର୍ଯ୍ୟନ୍ତ ୧୭ କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ଥିଲା। ଫଳରେ ଅତିରିକ୍ତ ପ୍ରାୟ ୮୦ କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ଯାହାକୁ ନେଇ ଦୀର୍ଘ ଦିନ ଧରି ଏହି ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ଅଞ୍ଚଳବାସୀ। ଏବେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି, ଏହାକୁ ନେଇ ଗ୍ରାମାଞ୍ଚଳର ବିକାଶ ହେବା ଆଶା କରାଯାଇଛି।
ଜିଲ୍ଲାର ଗମନାଗମନ କ୍ଷେତ୍ରରେ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ପୂର୍ତ୍ତ ବିଭାଗ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଏନେଇ ୪୦ କୋଟି ୨୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ରାସ୍ତା ପ୍ରଶସ୍ତିକରଣ ଓ ପାହାଡିଆ ରାସ୍ତା ଖୋଳି ସମସ୍ତ ବୁଲାଣି ଗୁଡ଼ିକ ସରଳୀକରଣ କରାଯିବ । ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ରାସ୍ତା ନିର୍ମାଣର ଗୁଣବତ୍ତା ଓ ମାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ। ଜିଲ୍ଲାର ବିକାଶ କ୍ଷେତ୍ରରେ ସହାୟକ ହେବ ଏହି ରାସ୍ତା । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ପୂର୍ତ୍ତ ବିଭାଗ କାର୍ଯ୍ୟ ଶେଷ କରିପାରୁଛି କି ନାହିଁ, ତା ଉପରେ ନଜର।

