ଭୁବନେଶ୍ବର : ରାଜ୍ଯ ସରକାରଙ୍କୁ ଶିକ୍ଷକ ଆଶାୟୀ ସଂଘର ଅଲ୍ଟିମେଟମ । ଜୁନ ୨୨ ସୁଦ୍ଧା ନୂତନ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ କରିବାକୁ ଦେଲା ମହଲତ । ୪ ଦିନ ଭିତରେ ବିଜ୍ଞାପନ ପ୍ରଶା ନପାଇଲେ ୨୫ରୁ ରାଜରାସ୍ତାରେ ଆମରଣ ଅନଶନ କରିବେ ଦେଢ଼ ଲକ୍ଷ ଆଶାୟୀ । ଏ ନେଇ ଭୁବନେଶ୍ୱର ରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଅଲ ଓଡିଶା ଶିକ୍ଷକ ଆଶାୟୀ ସଙ୍ଘ । ବର୍ତ୍ତମାନ ସୁଦ୍ଧା ଯେଉଁ ୨୬ ହଜାର ଶିକ୍ଷକ ନିଯୁକ୍ତି ହୋଉଛି ଏହା ପୂର୍ବ ସରକାରଙ୍କ ସମୟରେ ବିଜ୍ଞାପନ ପ୍ରକାଶ ପାଇଥିଲା । ନୂଆ ସରକାର ଏହି ନିଯୁକ୍ତି ଦେଇ ବାହାବା ନେବାକୁ ଚେଷ୍ଟା କରୁଛନ୍ତି l ରାଜ୍ୟରେ ଏକ ଲକ୍ଷ ୨୦ ହଜାର ଶିକ୍ଷକ ଆଶାୟୀ କ୍ବାଲିଫାଏ କରିଥିବା ବେଳେ OTET ଓ OSSTET ପରୀକ୍ଷା ଦେଇ ନିଯୁକ୍ତି ପାଇବା ଆଶାରେ ଅପେକ୍ଷାରେ ରହିଛନ୍ତି । ପ୍ରତିବର୍ଷ ୧୫ ହଜାର ଲେଖାଏଁ ଶିକ୍ଷକ ନିଯୁକ୍ତି କରିବେ ଓ ୩ ବର୍ଷ ରେ ୪୫ ହଜାର ଶିକ୍ଷକ ନିଯୁକ୍ତି ନେଇ ଘୋଷଣା କରିଥିଲେ ବିଜେପି ସରକାର । ରାଜ୍ୟର ବିଭିନ୍ନ ହାଇସ୍କୁଲରେ ୧୨ ହଜାର ଶିକ୍ଷକ ପଦବୀ ଖାଲି ଥିବା ବେଳେ ଆସିଷ୍ଟାଣ୍ଟ ଶିକ୍ଷକ ପାଇଁ ୧୫ ହଜାର ଶିକ୍ଷକ ପଦବୀ ଖାଲି ରହିଛି । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏକ ହଜାର ୮୩୧ ପଦବୀ ଖାଲି ରହିଛି । ଏହି ପଦବୀରେ ନିଯୁକ୍ତି ପାଇଁ ଜୁନ ୨୨ ତାରିଖ ଭିତରେ ବିଜ୍ଞପ୍ତି ପ୍ରକାଶ କରିବାକୁ ମହଲତ ଦେଇଛି ସଂଘ ।

