ବିଶ୍ୱର ୫୦ ପ୍ରାକୃତିକ ସ୍ଥାନ ତାଲିକାରେ ମୟୁରଭଞ୍ଜ, ଟାଇମ୍ ମାଗାଜିନରେ ଓଡିଶାର କାହାଣୀ

1 min read

ନନ୍ଦିଘୋଷ ବ୍ୟୁରୋ: ଟାଇମ୍ସ ମାଗାଜିନରେ ବିଶ୍ୱ ପଢିବ ଓଡ଼ିଶାର ଗାରିମା  । ପାଠକ ଦେଖିବେ ମୟୁରଭଞ୍ଜର ପ୍ରାକୃତିକ ଶୋଭା  । ବିଶ୍ୱର ୫୦ଟି ସର୍ବଶ୍ରେଷ୍ଠ ପ୍ରାକୃତିକ ସ୍ଥାନ ତାଲିକାରେ ସାମିଲ ରହିଛି ମୟୁରଭଞ୍ଜ  । ଟାଇମ୍ସ ମାଗାଜିନ ପକ୍ଷରୁ ଏହି ସବୁ ସ୍ଥାନ ଗୁଡିକ ଉପରେ ଅନୁସନ୍ଧାନ କରାଯିବ  । କାରଣ ବିଶ୍ୱର ୫୦ଟି ଅସଧାରଣ ଗନ୍ତବ୍ୟସ୍ଥଳକୁ ନେଇ ପ୍ରସ୍ତୁତ ହେଉଛି ମାଗାଜିନ  । ମୟୁରଭଞ୍ଜ ବ୍ୟତୀତ ଲଦାଖ ଭାରତର ଦିତ୍ୱୀୟ ଅସାଧାରଣ ଗନ୍ତବ୍ୟସ୍ଥଳ ତାଲିକାରେ ରହିଛି  ।

ମୟୁରଭଞ୍ଜ ଓଡ଼ିଶା ପାଇଁ ପ୍ରକୃତିର ଅପୂର୍ବ ଦାନ  । ଶିମିଳିପାଳ ଜାତୀୟ ଉଦ୍ୟାନ ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ  । ଯାହା ଜାତୀୟ ଉଦ୍ୟାନ ଭାବେ ପରିଚିତ  । ଯେଉଁଠିକୁ ଦେଶ ବାହାରୁ ଧାଇଁ ଆସନ୍ତି ପର୍ଯ୍ୟଟକ  । ପୃଥିବୀର ଏକମାତ୍ର ସ୍ଥାନ, ଯେଉଁଠି କଳା ବାଘର ବିଚରଣକୁ ଦେଖିବାର ସୁଯୋଗ ମିଳିଥାଏ  । ଏଠାରେ ମହାବଳ ବାଘ, ହରିଣ ଓ ହାତୀଙ୍କ ବ୍ୟତୀତ ବିଭିନ୍ନ ଦେଶୀ ଜୀବଜନ୍ତୁ ବାସ କରନ୍ତି । ଅଭୟାରଣ୍ୟର ଆୟତନ ୮୪୫.୭୦ ବର୍ଗ କିଲୋମିଟର । ଏହା ମଧ୍ୟରେ ଜୋରନ୍ଦା ଓ ବରେହିପାଣିସ ଜଳପ୍ରପାତ ରହିଛି । ଶିମିଳିପାଳରେ ୯୯ଟି ମହାବଳ ବାଘ , ୪୩୨ଟି ବଣୁଆ ହାତୀ  ଅଛନ୍ତି । ଏହାଛଡା ଶିମିଳିପାଳରେ ଗୟଳ, ଚଉଶିଙ୍ଗା, ହରିଣ ମଧ୍ୟ ରହିଛନ୍ତି  ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ ।  ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଏହି ଜାଗାରେ ଦୁଇଟି ସ୍ୱତନ୍ତ୍ର ଧରଣର ଅର୍କିଡ଼ ମିଳିଥାଏ ଯାହା ପୃଥିବୀର ଅନ୍ୟକୌଣସିଠାରେ ମିଳେ ନାହିଁ, ଯଥା: ଏରିଆ ମେଘାସିନମ ଓ ବୁଲବୋ ଫାଇଲମ ପାଣିଗ୍ରାହୀନମ । ସେହିପରେ ଗୁଡ଼ୟେରା ଥାଇଲାଣ୍ଡ ପ୍ରଜାତି ଭାରତ ମଧ୍ୟରେ କେବଳ ଶିମିଳିପାଳରେ ମିଳିଥାଏ ।

ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।

ଟାଇମ୍ସ ପକ୍ଷରୁ ହେଉଥିବା ରିସର୍ଚ୍ଚରେ ଶିମିଳିପାଳର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ବ୍ୟତୀତ ସଫାରୀ ଗାଇଡ ଏବଂ ସାଇକେଲ ଯାତ୍ରା ଉପରେ ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ସୂଚନା ଦେଇଛି ଟାଇମ୍ସ  । ମୟୁରଭଞ୍ଜର କଳା- ସାହିତ୍ୟ-ଐତିହ୍ୟ କିର୍ତ୍ତୀରାଜିକୁ ମଧ୍ୟ ତନ୍ନ ତନ୍ନ କରି ସନ୍ଧାନ କରାଯାଇ ମାଜାଗିନରେ ସ୍ଥାନିତ କରାଯିବ  । ମୟୁରଭଞ୍ଜର ଲୋକ ନୃତ୍ୟ-ଲୋକ ଗୀତ, ସଭ୍ୟତା, ସଂସ୍କୃତି ଆଦିକୁ ଗବେଷକ ମାନେ ତର୍ଜମା କରିବେ  ।  ଏହି ପତ୍ରିକାରେ ରାଜଧାନୀ ଭୁବନେଶ୍ୱର ବ୍ୟତୀତ ଓଡିଶାର ଅନେକ ସ୍ଥାନକୁ ସ୍ଥାନିତ କରାଯିବ  । ମାଗାଜିନରେ ବିଶ୍ୱବାସୀ ପଢିବେ ଓଡିଶାର ଐତିହ୍ୟ, ସଂସ୍କୃତି  ।     2023 ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥାନଗୁଡିକର ତାଲିକାରେ ଫ୍ଲୋରିଡା, ୱାଶିଂଟନ୍, ଡି.ସି., ବାର୍ସିଲୋନା, କାଇଟୋ, ଜେରୁଜେଲମ୍ ଭଳି ବିଶ୍ୱର ସର୍ବୋତ୍ତମ ସ୍ଥାନ ରହିଛି   ।