ଆଜିଠୁ ମାଟ୍ରିକ୍ ପରୀକ୍ଷା ; ସକାଳ ୮ଟାରୁ ୧୦ଟା ଯାଏ ଚାଲିବ ପରୀକ୍ଷା

1 min read

ଭୁବନେଶ୍ବର : ଆଜିଠୁ ମାଟ୍ରିକ୍ ପରୀକ୍ଷା । ଚଳିତବର୍ଷ ଦ୍ବିତୀୟ ସମ୍ମେଟିଭ ପରୀକ୍ଷା ଦେବେ ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ । ଆଜି ପ୍ରଥମ ଦିନରେ ରହିଛି ମାତୃଭାଷା ପରୀକ୍ଷା । ସକାଳ ୮ଟାରୁ ୧୦ଟା ଯାଏ ପରୀକ୍ଷା ହେବ । ଘଣ୍ଟାଏ ପୂର୍ବରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ପରୀକ୍ଷାକେନ୍ଦ୍ରକୁ ପେନ୍, ଆଡମିଟ କାର୍ଡ ଓ ଜ୍ୟାମିତି ବାକ୍ସ ନେବାକୁ ଅନୁମତି ରହିଛି ।

ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି । ମୋଟ ୩ ହଜାର ୨୧୮ ସେଣ୍ଟରରେ ପରୀକ୍ଷା ହେବାକୁ ଥିବାବେଳେ ୩୧୬ଟି ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର । ମାଓ ଉପଦ୍ରୁତ ଅଞ୍ଚଳର ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।

ସକାଳେ ଷ୍ଟ୍ରଙ୍ଗ୍ରୁମରୁ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ଯେଉଁ ସେଣ୍ଟରରେ ସମ୍ମିଟିଭ-୧ ପରୀକ୍ଷା ହୋଇଥିଲା, ସେଠାରେ ହିଁ ସମ୍ମେଟିଭ ୨ ପରୀକ୍ଷା କରାଯାଉଛି । ପୂର୍ବବର୍ଷ କପି ହୋଇଥିବା ସେଣ୍ଟରଗୁଡ଼ିକୁ ପରିବର୍ତ୍ତନ କରାଯାଇଛି । କପି ରୋକିବାକୁ ବିଶେଷ ପଦକ୍ଷେପ ନେଇଛି ବୋର୍ଡ ।

ମୋଟ୍ ୭୪ଟି ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ସେଥିରୁ ବୋର୍ଡ ପକ୍ଷରୁ ୩୬ଟି ସ୍କ୍ୱାଡ୍ କରାଯାଇଛି । ଏହାଛଡ଼ା ୫୭ଟି କେନ୍ଦ୍ରୀୟ ସ୍କ୍ୱାଡ୍ ପରୀକ୍ଷା କେନ୍ଦ୍ରକୁ ଯାଇ ଚେକିଂ କରିବେ । ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।