ତିନି ରଥ ନିର୍ମାଣରେ ବ୍ୟସ୍ତ ମହାରଣା ସେବକ, ଚାଲିଛି ବିନ୍ଧ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଖେଇ ଆସୁଥିବାରୁ ରଥ ନିର୍ମାଣରେ ବ୍ୟସ୍ତ ମହାରଣା । ଚାଲିଛି ତିନି ରଥର ୪୨ ଗୋଟି ତୁମ୍ବରେ ବିନ୍ଧ ନିର୍ମାଣ କାର୍ଯ୍ୟ । ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ ହେବାକୁ ଥିବା ବେଳେ ଭୋଇ ସେବକମାନେ ଯନ୍ତା ଗାଡ଼ ପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଭଉଁରୀ ଦିନ ସୁଦ୍ଧା ତିନି ରଥର ଦୁଇଗୋଟି ଚକରେ ଅଖ ସଂଯୋଗ କରାଯିବା ପରମ୍ପରା ରହିଛି ।

ସେପଟେ ରଥ ନିର୍ମାଣ ପାଇ ଆବଶ୍ୟକ ଲୁହା କଣ୍ଟା । ଏଥିପାଇଁ ଦୋଳବେଦୀ କୋଣରେ ଥିବା କମାର ଶାଳରେ ଚାଲିଛି ଆବଶ୍ୟକୀୟ କଣ୍ଟା ପ୍ରସ୍ତୁତି । ଓଝା ସେବକ ମାନେ ୪୨ଟି ଚକ ପାଇଁ ଆବଶ୍ୟକୀୟ ୧ ହଜାର ୩୪୪ ଟି ଅର କଣ୍ଟା ନିର୍ମାଣ କରୁଛନ୍ତି । ଏହାସହ ଚକର ବଳା, ପନ୍ଦାରୀ ସମେତ ବିଭିନ୍ନ ପ୍ରକାର କଣ୍ଟା ନିର୍ମାଣ ପାଇଁ ଲାଗିପଡ଼ିଛନ୍ତି ସେବାୟତ ।