ରେସଲରଙ୍କ ସପକ୍ଷରେ ପୁଣି ଚାଷୀ ଜାଗରଣ, ଆଜି ଇଣ୍ଡିଆ ଗେଟ ନିକଟରେ ହେବ ମହମବତି ରାଲି

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମନମାନି । କୌଣିସି ପ୍ରକାରେ ପଦ ଛାଡ଼ିବାକୁ ନାରାଜ । ସେପଟେ ତେଜିବାରେ ଲାଗିଛି ରେସଲରମାନଙ୍କ ଆନ୍ଦୋଳନ । ରେସଲରମାନଙ୍କୁ ସମର୍ଥନ କରି ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ମହମବତି ରାଲି କରିବେ ବହୁ ଖାପ୍ ପଞ୍ଚାୟତ ନେତା ଓ କୃଷକ ସଂଗଠନ ନେତା । ରେସଲରମାନଙ୍କୁ ସମର୍ଥନ ଜଣାଇ ରବିବାର ହରିଆଣାର ରୋହତକରେ ସମବେତ ହୋଇଥିଲେ କୃଷକ ଓ ଅନ୍ୟାନ୍ୟ ବର୍ଗର ନେତା । ମହମବତି ରାଲିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହେବେ । ଆସନ୍ତା ୨୮ ତାରିଖରେ ନୂଆ ପାର୍ଲାମେଣ୍ଟ ଭବନ ନିକଟରେ ମହିଳା ମହାପଞ୍ଚାୟତ କରିବାକୁ ବି ଘୋଷଣା କରିଛନ୍ତି ସଂଗଠନର ନେତା । ଯୌନ ନିର୍ଯାତନା ଓ ଅପରାଧ ମାମଲାରେ କୁସ୍ତିଯୋଦ୍ଧା ସଂଗଠନ ସଭାପତି ବ୍ରିଜ ଭୂଷଣଙ୍କୁ ହଟାଇବା ଦାବିରେ ଅଟଳ ରହିଛି କୁସ୍ତିଯୋଦ୍ଧା ସଂଗଠନ । ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ନେତୃତ୍ବରେ ଦିଲ୍ଲୀ ଜନ୍ତର ମନ୍ତରରେ ଏବେ ବି ଜାରି ରହିଛି ଧାରଣା ।

ଗତ ଏପ୍ରିଲରୁ ଚାଲିଥିବା ଏହି ଧାରଣାକୁ କଂଗ୍ରେସ, ଆପ୍ ଓ ବାମପନ୍ଥୀ ଦଳ ସମେତ ବିଭିନ୍ନ ମହଲରୁ ସମର୍ଥନ ଜ୍ଞାପନ କରାଯାଇଛି । ବ୍ରିଜ ଭୂଷଣଙ୍କ ନାମରେ ସଂଗୀନ ଅଭିଯୋଗ ଥିଲେ ବି ତାଙ୍କୁ ଗିରଫ କରାଯାଉନାହିଁ କିମ୍ବା ସେ ପଦ ତ୍ୟାଗ କରୁନାହାନ୍ତି । ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ଗତ ଏପ୍ରିଲ ୨୯ ତାରିଖରେ କୈସରଗଞ୍ଜର ବିଜେପି ସାଂସଦଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ଲାଗି ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା ।