ନନ୍ଦିଘୋଷ ବ୍ୟୁରୋ: ସାଧାରଣ ଜନତାଙ୍କୁ ପୁଣି ଏକ ବଡ଼ ମହଙ୍ଗା ମାଡ଼ ହୋଇଛି। ଜୁନ୍ ପହିଲାରୁ ଦେଶରେ ବଢ଼ିଯାଇଛି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର। ସରକାରୀ ତେଲ କମ୍ପାନୀଗୁଡ଼ିକ ପକ୍ଷରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଲଗାତର ଗ୍ୟାସ ଦର ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଶିଳ୍ପ ବଜାର ଗମ୍ଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ନୂଆ ନିୟମ ଅନୁଯାୟୀ, ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦରରେ ୪୨ ଟଙ୍କା ବୃଦ୍ଧି ଘଟିଛି। ଏହି ସଂଶୋଧିତ ମୂଲ୍ୟ ଆଜି ଅର୍ଥାତ୍ ଜୁନ୍ ୧ ତାରିଖରୁ ଲାଗୁ ହୋଇଛି। ଦର ବୃଦ୍ଧି ପରେ ଦେଶର ପ୍ରମୁଖ ସହରଗୁଡ଼ିକରେ ବ୍ୟବସାୟିକ ଗ୍ୟାସର ମୂଲ୍ୟ ବୃଦ୍ଧି ହୋଇଛି
. ଦିଲ୍ଲୀ: ୧୯ କେଜି ସିଲିଣ୍ଡରର ଦର ୪୨ ଟଙ୍କା ବଢ଼ିବା ପରେ ଏବେ ଏହାର ମୂଲ୍ୟ ୩,୧୧୩.୫୦ ଟଙ୍କାରେ ପହଞ୍ଚିଛି।
. କୋଲକାତା: ସବୁଠାରୁ ଅଧିକ ଅର୍ଥାତ୍ ୫୩ ଟଙ୍କା ମୂଲ୍ୟ ବୃଦ୍ଧି ପାଇଛି। ଫଳରେ କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୩,୨୫୫.୫୦ ଟଙ୍କା ହୋଇଛି।
କେବଳ ବଡ଼ ସିଲିଣ୍ଡର ନୁହେଁ, ବରଂ ଛୋଟ ବ୍ୟବସାୟୀ ବ୍ୟବହାର କରୁଥିବା ୫ କେଜି ବିଶିଷ୍ଟ ଫ୍ରି ଟ୍ରେଡ୍ LPG ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଏହାର ଦର ୧୧ ଟଙ୍କା ବଢ଼ିବା ଫଳରେ ବଜାରରେ ଏବେ ଏହା ୮୨୧.୫୦ ଟଙ୍କାରେ ମିଳିବ।
ତେବେ ଗ୍ୟାସ ଦର ବାରମ୍ବାର ବଢ଼ୁଥିବାରୁ ହୋଟେଲ, କ୍ୟାଫେ ଏବଂ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଶିଳ୍ପଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ଆଗକୁ ବାହାରେ ଖାଇବା ଏବଂ ଟିଫିନ୍ ଆଦି ମହଙ୍ଗା ହେବାର ପୂରା ସମ୍ଭାବନା ରହିଛି।

