ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲାର ଆଜି ଲୋକାୟୁକ୍ତରେ ଶୁଣାଣି

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲାର ଆଜି ଲୋକାୟୁକ୍ତରେ ଶୁଣାଣି ହେବ । ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିସ୍‌ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ଲୋକପ୍ରତିନିଧିଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତର ଏହା ହେଉଛି ପ୍ରଥମ ଘଟଣା ।

ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଲୋକାୟୁକ୍ତ ଏହି ମାମଲାର ବିଚାର ପାଇଁ ରାଜ୍ୟ ସରକାରଙ୍କ ସୁପାରିସ୍‌କୁ ଗ୍ରହଣ କରି ଆଜି ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କର ପାଠକ ବାପପୁଅଙ୍କ ସହ ଦୁର୍ନୀତିରେ ସଂପୃକ୍ତି ମିଳିବା ପରେ ଅଡୁଆରେ ଫସିଛନ୍ତି ଗୋପାଳପୁର ବିଧାୟକ ।

ଦୁର୍ନିତିଗ୍ରସ୍ତ ଓ ଜନ ପ୍ରତିନିଧି ହୋଇ ସୁଦ୍ଧା କ୍ଷମତାର ଅପବ୍ୟବହାର କରି ଜନତାଙ୍କୁ ଶୋଷଣ କରୁଥିବା ଜନନେତାଙ୍କୁ ରୋକିବା ପାଇଁ ଗଠିତ ହୋଇଥିଲା ଲୋକାୟୁକ୍ତ । ଲୋକାୟୁକ୍ତ ଗଠନ କ୍ଷେତ୍ରରେ ଓଡିଶା ଏକ ମାଇଲଖୁଣ୍ଟ ହୋଇଥିବା ବେଳେ ଶାସକ ଦଳର ଦୁର୍ନିତି ଗ୍ରସ୍ତ ବିଧାୟକଙ୍କୁ ଦଳରୁ ବହିଷ୍କାର କରି ତାଙ୍କ ଦୁର୍ନିତି ସଂକ୍ରାନ୍ତିୟ ମାମଲାର ତଦନ୍ତ ଲୋକାୟୁକ୍ତଙ୍କୁ ଦେବାରେ ମଧ୍ୟ ଓଡିଶା ଉଦାହରଣ ସୃଷ୍ଟି କରିଛି ।

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା ପ୍ରଥମ ମାମଲା ଭାବେ ତଦନ୍ତ କରିବେ ଲୋକାୟୁକ୍ତ । ଅଧ୍ୟକ୍ଷଙ୍କ ସମେତ ଅନ୍ୟ ୩ଜଣ ସଦସ୍ୟଙ୍କୁ ନେଇ ଗଠିତ ଲୋକାୟୁକ୍ତ । ସାମ୍ବିଧାନିକ ନିରପେକ୍ଷ ସଂସ୍ଥା ଲୋକାୟୁକ୍ତ ଏହି ମାମଲାରେ ପୂର୍ବରୁ ଚାଲିଥିବା ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କ ରିପୋର୍ଟ ତଲବ କରି ଅନୁଧ୍ୟାନ କରିବେ । ଦୁର୍ନିତି ବିରୋଧରେ ରାଜ୍ୟ ସରକାରଙ୍କ ଏଭଳି କଡା ଆଭିମୁଖ୍ୟକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି ।

Leave a Reply