ମହାସମାରୋହରେ ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ

ଭୁବନେଶ୍ୱର: ରାଜ୍ୟ ପାଳିବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ଶତବାର୍ଷିକୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ ଥର ଆସିଥିଲେ । ପ୍ରଥମଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ରେ ଓଡ଼ିଶା ଆସିଥିଲେ ଗାନ୍ଧିଜୀ । କଟକ କାଠଯୋଡ଼ି ନଦୀ ବାଲିରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ । ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୦୨୧ ମାର୍ଚ୍ଚ ୨୩ରୁ ବର୍ଷେ ବ୍ୟାପୀ ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ ହେବ । ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଏହା ଓଡ଼ିଶାବାସୀଙ୍କୁ ଉଦବୁଦ୍ଧ କରିବା ସହ ଯୁବପିଢ଼ିଙ୍କୁ ମହାତ୍ମାଙ୍କ ମହନୀୟତାରେ ଉଦବୁଦ୍ଧ କରିବାରେ ସହାୟକ ହେବ ।

Life Stories Of Odia Eminent Personality In Educational Curriculum

ସେହିଭଳି ରାଜ୍ୟ କ୍ୟାବିନେଟରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ତଥା ବରପୁତ୍ରମାନଙ୍କ ଗ୍ରାମକୁ ଆଦର୍ଶ ଗ୍ରାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ବରପୁତ୍ରମାନେ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ଆମ କଳା, ସାହିତ୍ୟ ଏବଂ ସଂସ୍କୃତିର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି । ପାଇକ ବିଦ୍ରୋହ ଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଆଧୁନିକ ଓଡ଼ିଶାର ନବ ନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ର ଓଡ଼ିଶା ପାଇଁ ପ୍ରେରଣାର ଉତ୍ସ । ଏହି ମହାପୁରୁଷମାନଙ୍କର ସ୍ମୃତିକୁ ଚିରସ୍ମରଣୀୟ କରିବା ଏବଂ ସେମାନଙ୍କର ଜାତି ପ୍ରୀତି ସମ୍ପର୍କରେ ଉତ୍ତରପିଢ଼ିଙ୍କୁ ଅବଗତ କରିବା ଆମ ଦାୟିତ୍ୱ ଓ ଏହା ଏକ ନିରନ୍ତର ପ୍ରକ୍ରିୟା ।

Life Stories Of Odia Eminent Personality In Educational Curriculum

ଏବେର ଡିଜିଟାଲ୍ ୱାର୍ଲ୍ଡ ଏବଂ ସୋସିଆଲ୍ ମିଡିଆର ଆଗମନ ପରେ ସେମାନଙ୍କର ତ୍ୟାଗକୃତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟ ପୁସ୍ତକରେ ଉପଯୁକ୍ତ ଭାବରେ ସ୍ଥାନିତ କରିବା ପାଇଁ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆମର ଗୌରବମୟ, ଐତିହ୍ୟ, ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏ ଜାତିକୁ ସେମାନଙ୍କ ପ୍ରତିଭାରେ ମହିୟାନ୍ କରିଥିବା ସମସ୍ତ ବରପୁତ୍ରମାନଙ୍କ କାର୍ଯ୍ୟ ଏବଂ ଜୀବନର ବିଷୟ ବସ୍ତୁ ଏକତ୍ରିତ କରାଯାଇ ବିଭିନ୍ନ ପାଠ୍ୟକ୍ରମ, ଅତିରିକ୍ତ ପାଠ୍ୟକ୍ରମରେ ସାମିଲ୍ କରାଯିବ ।

Life Stories Of Odia Eminent Personality In Educational Curriculum

ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଏହି ବିଷୟରେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା କରାଯାଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବା ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ଏଥିନିମନ୍ତେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଶିକ୍ଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏଥିସହ ଆମ ରାଜ୍ୟର ବରପୁତ୍ରମାନହ୍କୁ ଉତ୍ତରପିଢ଼ି ନିକଟରେ ଚିରସ୍ମରଣୀୟ କରିବା ଲାଗି ସେମାନଙ୍କର ଜନ୍ମ ସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ । ସେମାନଙ୍କର ଜନ୍ମ ଏବଂ ତିରୋଧାନ ଦିବସକୁ ଯଥୋଚିତ ଶ୍ରଦ୍ଧା ଏବଂ ସମ୍ମାନ ସହିତ ସମାରୋହ ସହକାରେ ପାଳନ କରାଯିବ । ଏହା ବରପୁତ୍ରମାନଙ୍କ ପ୍ରତି ଏ ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ ।

Leave a Reply