ଲକରରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା, ନୋଟ୍‌ ଦେଖି ଛାନିଆ ଆୟକର ବିଭାଗ

1 min read

ଜୟପୁର: ଲକରରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା । ବିଡା ବିଡା ଟଙ୍କା ଦେଖି ଘାବରେଇ ଗଲା ଆୟକର ବିଭାଗ । ରାଜସ୍ଥାନ ଜୟପୁରର ଗଣପତି ପ୍ଲାଜାସ୍ଥିତ ଏକ ପ୍ରାଇଭେଟ ଲକର ଉପରେ ରେଡ କରି ଏହି ଟଙ୍କା ଜବତ କରିଛି ଆଇଟି ବିଭାଗ । ସେହି ଲକରରେ ଅପର୍ଯ୍ୟାପ୍ତ ଟଙ୍କା ଗଚ୍ଛିତ ରହିଛି ବୋଲି ଅଭିଯୋଗ ହେବା ପରେ ସେଠାରେ ହୋଇଥିଲା ରେଡ ।

ବହୁଚର୍ଚ୍ଚିତ ପେପର ଲିକ୍ ଘଟଣାରେ ସଂଗୃହୀତ ଟଙ୍କା ଗଣପତି ପ୍ଲାଜା ଲକରରେ ରହିଥିବା ନେଇ ଅଭିଯୋଗ ହେବା ପରେ ସେଠାରେ ରେଡ ହୋଇଥିଲା । ଗତ ଅକ୍ଟୋବର ୧୭ ତାରିଖରେ ୩ଟି ଲକର ଉପରେ ରେଡ କରି ଆଇଟି ବିଭାଗ ଜବତ କରିଥିଲା ୩୦ ଲକ୍ଷ ଟଙ୍କା । ଅକ୍ଟୋବର ୨୧ ତାରିଖରେ ବି ଆଇଟି ବିଭାଗ ୨ କୋଟି ୪୬ ଲକ୍ଷ ଟଙ୍କା ଜବତ କରିଥିଲା ।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଲକରରୁ ଆଇଟି ବିଭାଗ ନଗଦ ୭ କୋଟି ଟଙ୍କା ଓ ୧୨ କେଜି ସୁନା ଜବତ କରିସାରିଲାଣି । ଗଣପତି ପ୍ଲାଜାରେ ୧୧୦୦ରୁ ଅଧିକ ଲକର ରହିଥିବା ସୂଚନା ମିଳିଛି । ୨୦୨୨ ଡିସେମ୍ବରରେ ଗ୍ରେଡ-୨ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପେପର ଲିକ୍ ହୋଇଥିଲା । ଏହା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହି ଘଟଣାରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ୩୭ ପ୍ରାର୍ଥୀଙ୍କ ସମେତ ୫୩ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନ ସଦସ୍ୟ ବାବୁଲାଲ କଟରା । ସେହିପରି ବିଜୟ କଟରା, ଗୋପାଳ ସିଂ, ଜଣେ ଡ୍ରାଇଭରଙ୍କୁ ଗିରଫ କରିଥିଲା ସ୍ପେଶାଲ ଅପରେସନ ଗ୍ରୁପ ।