କରୋନା କାଳରେ ଲୋକଙ୍କୁ ଆକୃଷ୍ଟ କରୁଛି କୋରାପୁଟର ମିରିଗାନି ମାସ୍କ

କୋରାପୁଟ: କରୋନା ଛଡ଼ାଇ ନେଇଥିଲା ବ୍ୟବସାୟ । ବେପାର ନ ଥିବାରୁ ହନ୍ତସନ୍ତ ହେଉଥିଲେ ବ୍ୟବସାୟୀ । ହେଲେ କରୋନା ପାଇଁ ମିଳିଗଲା ରୋଜଗାରର ପନ୍ଥା । ବ୍ୟବସାୟ ମିଳିଲା ଅନ୍ୟ ଉପାୟ ।  କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ମିରିଗାନ ଶାଢ଼ୀ ଦେଶ ତଥା ବିଦେଶରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେହିପରି ବର୍ତ୍ତମାନ କରୋନା ମହାମାରୀ ସମୟରେ ମିରିଗାନ ମାସ୍କର ମଧ୍ୟ ପ୍ରବଳ ଚାହିଦା ରହିଛି । ଏହି ମାସ୍କ ପ୍ରାକୃତିକ ରଙ୍ଗ ଏବଂ ସୂତାରେ ତିଆରି ହୋଇଥିବା ଯୋଗୁଁ ଚର୍ମରେ କୌଣସି କ୍ଷତି ହୋଇନଥାଏ । କୋଟପାଡ଼ ଅଞ୍ଚଳର ମିରିଗାନ ସାହିର କିଛି ଯୁବତୀ ପ୍ରଥମେ ନିଜେ ବ୍ୟବହାର କରିବା ପାଇଁ ଗୋଟିଏ ଗୋଟିଏ ମାସ୍କ ପ୍ରସ୍ତୁତ କଲେ ।

ତାହାକୁ ଦେଖି ଧୀରେ ଧୀରେ ମିରିଗାନ ମାସ୍କ ଏତେ ଚାହିଦା ବଢିଗଲା ଯେ ଏବେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅର୍ଡର ଆସୁଛି ଏହି ମାସ୍କ ପାଇଁ  । ଗୋଟିଏ ମାସ୍କ ତିଆରି କରିବା ପାଇଁ ୩୦ ମିନିଟ ସମୟ ଲାଗିଥାଏ । ପ୍ରତିଦିନ ୧୦୦ ରୁ ୧୫୦ ଟି ମାସ୍କ ତିଆରି କରନ୍ତି ଏହି ଯୁବତୀ ମାନେ । ୪୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ଯାଏଁ ଗୋଟିଏ ମାସ୍କ ର ମୂଲ୍ୟ ରହିଛି । ସୁଲଭ ମୂଲ୍ୟ ଏବଂ ନିରାପଦ ଥିବା ଯୋଗୁଁ ଲୋକେ ଏବେ ମିରିଗାନ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱର, କୋଲକତା, ମୁମ୍ବାଇ, ଦିଲ୍ଲୀ ରେ ମଧ୍ୟ ମିରିଗାନ ମାସ୍କ ର ଚାହିଦା ରହିଥିବା କହିଛନ୍ତି । କରୋନା କୋଟକଣା ମଧ୍ୟରେ କୋଟପାଡ଼ ଅଞ୍ଚଳର ମିରିଗାନ ବସ୍ତ୍ର ଆଉ ବିକ୍ର ହୋଇପାରିଲା ନାହିଁ । ଶେଷରେ କିଛି ଯୁବତୀ ମିଶି ମିରିଗାନ ବସ୍ତ୍ର ରେ ମାସ୍କ ତିଆରି କରିବା ଆରମ୍ଭ କଲେ । ଧୀରେ ଧୀରେ ଏତେ ଚାହିଦା ବଢିଗଲା ଯେ ଏବେ ଠିକରେ ମାସ୍କ ଯୋଗାଇ ପାରୁନାହାନ୍ତି । ବିଭିନ୍ନ ଡିଜାଇନ ର ମାସ୍କ ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ଲୋକେ ଆଉ କମ୍ପାନୀ ମାସ୍କକୁ ବ୍ୟବହାର ନକରି ଏହି ମିରିଗାନ ମାସ୍କ ପ୍ରତି ଆକୃଷ୍ଟ ହେଉଛନ୍ତି । ଏହି ମାସ୍କ ତିଆରି କରି ଦୁଇ ପଇସା ରୋଜଗାର କରି ଯୁବତୀ ମାନେ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

Leave a Reply