ଏୟାର ଇଣ୍ଡିଆ ବିମାନକୁ ବିସ୍ଫୋରଣରେ ଉଡାଇ ଦେବାକୁ ଖାଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ

1 min read

ଭୁବନେଶ୍ବର: ପୁଣି ଘଟିପାରେ ୧୯୮୫ର ଲୋମଟାଙ୍କୁରା ଏୟାର ଇଣ୍ଡିଆର ବୋଇଂ ୭୪୭ କନିଷ୍କ ବିମାନ ବିସ୍ଫୋରଣ ଘଟଣା । କାନାଡା ଭିତ୍ତିକ ଆତଙ୍କବାଦୀ ସଂଗଠନ ଶିଖସ୍ ଫର୍ ଜଷ୍ଟିସ ଦେଲା ଧମକ । ଏପରିକି ନଭେମ୍ବର ୧୯ ଓ ତା’ପରେ ଏୟାର ଇଣ୍ଡିଆ ବିମାନରେ ନ ଯିବା ଲାଗି ଶିଖମାନଙ୍କୁ କହିଛି ସଂଗଠନ ।

ଏସଏଫଜେ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁ ଧମକ ଦେଇ କହିଛି ୧୯ ନଭେମ୍ବରରେ କୌଣସି ଶିଖ୍ ଏୟାର ଇଣ୍ଡିଆ ବିମାନରେ ଯାଆନ୍ତୁ ନାହିଁ । ସାରା ବିଶ୍ବରେ ଏୟାର ଇଣ୍ଡିଆ ବିମାନକୁ ଅବରୋଧ କରାଯିବ ଓ ସେହିଦିନ ବିଶ୍ବର କୌଣସି ସ୍ଥାନକୁ ଯିବାକୁ ଏୟାର ଇଣ୍ଡିଆ ବିମାନକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛି ।

ଏହି ନିଷ୍ପତ୍ତି ଭାରତ ସରକାରଙ୍କ ପ୍ରତି ଏକ ଓ୍ବାର୍ଣ୍ଣିଂ ହୋଇପାରେ ବୋଲି ସେ କହିଛି । ୧୯ ନଭେମ୍ବରରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରଖିବାକୁ ସେ ଚେତାବନୀ ଦେଇଛି । ସେହିଦିନ ଓ୍ବାର୍ଲଡ ଟେରର କପ୍ ମ୍ୟାଚ ଖେଳାଯାଇ ଓ ସାରା ବିଶ୍ବ ଏହି ମ୍ୟାଚ ଦେଖିବ ବୋଲି ସେ କହିଛି । ଏହା ଭାରତରେ ହୋଇଥିବା ଶିଖ ଗଣହତ୍ୟାର ଜବାବ ହେବ । ପଞ୍ଜାବ ମୁକ୍ତ ହେବା ପରେ ଏହି ବିମାନ ବନ୍ଦରର ନାମ ସହିଦ ବିୟନ୍ତ ସିଂ ଓ ସହିଦ ସତଓ୍ବନ୍ତ ସିଂ ବିମାନ ବନ୍ଦର ରଖାଯିବ ବୋଲି କହିଛି ।

୧୯୮୫ ଜୁନ ୨୩ରେ ଏୟାର ଇଣ୍ଡିଆ ବିମାନ କନିଷ୍କ ମଣ୍ଟ୍ରିଲ-ଲଣ୍ଡନ-ଦିଲ୍ଲୀ-ମୁମ୍ବାଇ ରୁଟରେ ଥିବାବେଳେ ଆଟଲାଣ୍ଟିକ ମହାସାଗର ଉପରେ ବିସ୍ଫୋରଣ ଘଟାଯାଇଥିଲା । କାନାଡାର ଶିଖ ଆତଙ୍କବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଏହି ବିସ୍ଫୋରଣରେ ୩୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।