କେରଳରେ ଘାରିଲାଣି କରୋନା ଚିନ୍ତା, ଦିନକୁ ବାହାରୁଛନ୍ତି ୩୦ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ୨ ବର୍ଷ ହେଲା ପୁରା ଦେଶକୁ ଘାଣ୍ଟିବାରେ ଲାଗିଛି। ଭୟରେ ଥରହର କରୁଛି କରୋନା ସଂକ୍ରମଣ। ଏବେ କରୋନାର ହବ ପାଲଟିଛି କେରଳ। କେରଳକୁ ଘାରିଲାଣି କରୋନା ଚିନ୍ତା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ୩୦ ହଜାର ଉପରେ ପଜିଟିଭ୍‌ ମାମଲା ଆସୁଥିବା ବେଳେ, ଦୈନିକ ମୃତ୍ୟୁସଂଖ୍ୟା ଶହେ ଉପରେ ରହୁଛି। ଗତ ୨୪ ଘଣ୍ଟାରେ କେରଳରୁ ୩୨ହଜାର ୮୦୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୭୩ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ। ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୨୧ହଜାର ୬୧୦ ଜଣ କରୋନା ଆକ୍ରାନ୍ତ। ବର୍ତ୍ତମାନର କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୩୮ଲକ୍ଷ ୩୮ହଜାର ୬୧୪ଜଣ କରୋନାରୁ ମୁକୁଳିଛନ୍ତି। ସେହିପରି ମୋଟ୍‌ ମୃତ୍ୟୁସଂଖ୍ୟା ୨୦ହଜାର ୯୬୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ କେରଳରେ ୨ଲକ୍ଷ ୨୯ହଜାର ୯୧୨ ସକ୍ରିୟ ସଂକ୍ରମିତ ରହିଥିବା ବେଳେ, ପଜିଟିଭିଟି ସଂଖ୍ୟା ୧୮.୭୬%କୁ ବୃଦ୍ଧିପାଇଛି। ସେପଟେ କରୋନାରେ ରୋକ୍‌ ଲଗାଇବାକୁ କେରଳ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ  ୭୪ହଜାର ୮୫୪ଜଣଙ୍କ ନମୁନା ସଂଗ୍ରହ କରାଯାଇଛି।

Leave a Reply