ସକାଳ ୫ଟାରେ ଗାଁରେ ପହଞ୍ଚିଲା ମରଶରୀର; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

1 min read

କନ୍ଧମାଳ: କନ୍ଧମାଳ ମିଲୁପଡାରେ କାଳିଆର ମୃତ ଦେହ ପହଞ୍ଚିଛି । ସକାଳ ୫ଟାରେ ଗାଁରେ ପହଞ୍ଚିବା ପରେ ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ । ବାପା, ମା, ଜେଜେ ବାପା, ଜେଜେ ମାଙ୍କ ଉପସ୍ଥିତରେ କାଳିଆର ଅନ୍ତିମସଂସ୍କାର ପାଇଁ ଆୟୋଜନ ଚାଲିଛି । ଆଉ କିଛି ସମୟ ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଗତକାଲି ଜୀବନ ଯୁଦ୍ଧରେ ହାରି ଚାଲିଗଲା କାଳିଆ । ବଡଭାଇ ଜଗାକୁ ଛାଡି ଆରପାରିକୁ ଚାଲିଗଲା ସାନଭାଇ କାଳିଆ । ଗତକାଲି କଟକ ଏସସିବି ମେଡିକାଲରେ ଯୋଡାମୁଣ୍ଡ ଶିଶୁ କାଳିଆର ଦେହାନ୍ତ ହୋଇଛି।

ସେପଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିଲା । ବୁଧବାର ସକାଳୁ କାଳିଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ କାଳିଆର ଚିକିତ୍ସା କରୁଥିଲେ । ତେବେ ବହୁ ଚେଷ୍ଟା ପରେ ମଧ୍ୟ କାଳିଆଙ୍କୁ ବଞ୍ଚାଯାଇ ପାରିନାହିଁ । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆର ଦେହାନ୍ତ ପରେ ଶୋକପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, ଡାକ୍ତରମାନଙ୍କର ଅଦ୍ୟମ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ । ଅସମୟରେ ଝଡ଼ି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ  । ୨୦୧୭ ଜୁଲାଇ ୧୪ରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ।ଜଗାକାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୧ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୫ ଅକ୍ଟୋବର ୨୦୧୭ରେ ଜଗା-କାଳିଆଙ୍କ ଅପରେସନ ହୋଇଥିଲା । ଦୀର୍ଘ ୨୦ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ ଡାକ୍ତରୀ ଟିମ୍ । ୬ ସେପ୍ଟେମ୍ବର ୨୦୧୯ରେ ଜଗା କାଳିଆକୁ ଦିଲ୍ଲୀ AIIMSରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୭ ସେପ୍ଟେମ୍ବର ୨୦୧୯ରେ ଜଗାକାଳିଆ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ ।

Leave a Reply