କଳାହାଣ୍ଡିର ସୁନା ଝିଅ ସଲୋନୀ: ବାପାଙ୍କ ପାଇଁ କଲେ କିଡ଼ନୀ ଦାନ

1 min read

କଳାହାଣ୍ଡି: ଅନେକ ସମୟରେ ପିଲାମାନେ ବାପାମାଆଙ୍କର ବୃଦ୍ଧାବସ୍ଥାରେ ସେମାନଙ୍କୁ ହତାଦାର କରୁଥିବାର ଦୃଶ୍ୟ ଆପଣ ଦେଖିଛନ୍ତି । କିଛି ଦିନ ପୂର୍ବେ ବରଗଡ଼ ଜିଲ୍ଲାରେ ମାଆ ମୁଣ୍ଡରେ ଘା ହୋଇଥିବାରୁ ତାକୁ ଜଙ୍ଗଲରେ ଛାଡିଦେଇଥିଲେ ଜନ୍ମ କଲା ପିଲା । ହେଲେ ସବୁ ସନ୍ତାନ ସମାନ ନୁହଁନ୍ତି । ଏମିତି ଅନେକ ଅଛନ୍ତି ଯେଉଁମାନେ ବାପାମାଆଙ୍କର ଜୀବନ ପାଇଁ ନିଜ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ଥାଆନ୍ତି । ସେଭଳିଆ ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ୍ ଲଡ଼ୁଗାଁର ଝିଅ ସାଲୋନୀ । ଯାହାଙ୍କ ବିଷୟରେ ଜାଣିଲା ପରେ ହୁଏ ତ ଆପଣ ବି କହିବେ ଝିଅ ହେବ ତ ଏମିତି ।

ସାଲୋନୀ କୁହନ୍ତି ଯେ, ମୁଁ ତ ବଞ୍ଚିଛି, ମୋ ବାପାଙ୍କର ଅସୁବିଧା କାହିଁ ହେବ ? ସେ ମୋ ଅଳି ଶୁଣିଛନ୍ତି, ଦାବିକୁ ମାନିଛନ୍ତି । କୁନି ହାତ ଧରି ଚାଲିବା ଶିଖେଇଛନ୍ତି । ମଣିଷଟିଏ କରି ଗଢି ତୋଳିଛନ୍ତି । ଆଜି କେମିତି ମୁଁ ତାଙ୍କ ପାଇଁ ଅସହାୟ ହେଇଯିବି ? କେମିତି ମୋ ବାପାଙ୍କୁ ଏକା ଏକା ଅବସାଦର ସାଗରରେ ଛାଡିଦେଇପାରିବି । ଯିଏ ଦିନେ କାନ୍ଧରେ ଧରି ବୁଲାଉଥିଲା ତା ପାଇଁ ମୁଁ କ’ଣ କିଡନୀ ଟିଏ ଦେଇପାରିବିନି ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ଏ କାହାଣୀ ଶୁଣିଲେ ଆପଣବି କହିବେ, ସଲୋନି ତତେ ଶହେ ସଲାମ୍ । ୪୭ବର୍ଷୀୟ ବାପାଙ୍କୁ ନିଜ କୀଡନୀ ଦେଇ ଝିଅ ସଲୋନୀ ଦେଇଛି ସ୍ନେହଁ, ପ୍ରେମ ଆଉ ବନ୍ଧନର ନିଆରା ନିଦର୍ଶନ । ଆଉ ସମାଜ ପାଇଛି ପରିବାର ପ୍ରତି ଗୋଟେ ଝିଅର ପରାକାଷ୍ଠା ।  ଲଡୁଗାଁର ସୁନିଲ ଗର୍ଗଙ୍କ ଦୀର୍ଘଦିନ ଧରି କିଡନୀ ରୋଗରେ ପିଡୀତ ଥିଲେ । କିଛିମାସ ତଳେ ତାଙ୍କର ଉଭୟ କିଡନୀ ଖରାପ ହୋଇଥିବା ଜଣାପଡିବା ପରେ ଜୀବନ ବଞ୍ଚାଇବାକୁ କିଡନୀ ପ୍ରତ୍ୟାରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ମାତ୍ର କିଡନୀ ଯୋଗାଡ ହୋଇପାରୁନଥିବାବେଳେ ବାପାଙ୍କ ଜୀବନ ପାଇଁ ଆଗକୁ ଆସିଥିଲେ ୨୨ବର୍ଷୀୟ ଝିଅ ସଲୋନୀ । ପରିବାରର ଲୋକଙ୍କ ବିରୋଧ ପରେ ମଧ୍ୟ ଶେଷରେ କିଡନୀ ଦେଇ ଜନ୍ମ ଦେଇଥିବା ବାପାଙ୍କୁ ନୂଆ ଜୀବନ ଦେଲେ ସଲୋନୀ । କିଡନୀ ପ୍ରତ୍ୟାରୋପଣ ପରେ ଏବେ ଉଭୟ ବାପ-ଝିଅ ସୁସ୍ଥ ଅଛନ୍ତି । ସମାଜରେ ଅନେକ ସମୟରେ ଝିଅଙ୍କୁ ଅବହେଳା କରାଯାଏ । ପରିବାରର ବୋଝ ଭାବି କେତେକ ଝିଅକୁ ହୀନ ଦୃଷ୍ଟିରେ ଦେଖନ୍ତି । ମାତ୍ର ସଲୋନୀଙ୍କ ଏ ମହାନ କାର୍ଯ୍ୟ ଆଜି ସମାଜକୁ ନୂଆ ବାର୍ତ୍ତା ଦେଇଛି ।

Leave a Reply