ଜିଓ ଦେଲା ଝଟକା: ବଢ଼ିଲା ଅନଲିମିଟେଡ ପ୍ଲାନର ଦାମ୍, ୩ ଜୁଲାଇରୁ ଲାଗୁ

1 min read

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଝଟକା ଖାଇବା ଭଳି ଖବର । ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ । ଏହି ନୂଆ ଦର ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି । ଏହାସହ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ଜିଓ JIO Safe ସର୍ଭିସ୍ ଲଞ୍ଚ କରିଛି । ସେହିପରି କମ୍ପାନୀ AI Powered Jio Translate ସର୍ଭିସର ବି ଶୁଭାରମ୍ଭ କରିଛି । ଏହାସହ ଅନଲିମିଟେଡ 5G ସେବା ଜିଓ ବନ୍ଦ କରିଦେଇଛି । କିଛି ନିର୍ଦ୍ଦିଷ୍ଟା ପ୍ଲାନ ସହ ଅନଲିମିଟେଡ 5G ସର୍ଭିସ ଦେବାକୁ କମ୍ପାନୀ ସ୍ଥିର କରିଛି ।

ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଜିଓ ନିଜର ଏକାଧିକ ପୁରୁଣା ପ୍ଲାନକୁ ରିଭାଇଜ୍ କରିବା ସହ ନୂଆ ଅନଲିମିଟେଡ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନ ଆଣିଛି । ୩ ଜୁଲାଇରୁ ୟୁଜର୍ସ ଏହି ନୂଆ ପ୍ଲାନ ମାଧ୍ୟମରେ ନିଜ ନମ୍ବର ରିଚାର୍ଜ କରିବାକୁ ପଡ଼ିବ । ଜିଓ ନିଜର True 5G ସର୍ଭିସକୁ ଦେଶର ୮୫ ପ୍ରତିଶତ କ୍ଷେତ୍ରରେ ହଟାଇ ଦେଇଛି ।

ଏବେ କେଉଁ ପ୍ଲାନ ପାଇଁ କେତେ ଖର୍ଚ୍ଚ କରିବାକୁ ପଡ଼ିବ ଆସନ୍ତୁ ଜାଣିବା…

୨୮ ଦିନିଆ ପ୍ଲାନ୍

ପୂର୍ବରୁ ଜିଓର ୨୮ ଦିନିଆ ପ୍ଲାନରେ ୧୫୫, ୨୦୯, ୨୩୯, ୨୯୯, ୩୪୯ ଓ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା । ନୂଆ ପ୍ଲାନରେ ଏବେ ୧୮୯, ୨୪୯, ୨୯୯, ୩୪୯, ୩୯୯ ଓ ୪୯୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ । ଅର୍ଥାତ ଆପଣ ଯଦି ୧୫୫ ଟଙ୍କାର ରିଚାର୍ଜ କରୁଥିଲେ ଏବେ ନୂଆ ପ୍ଲାନ ହିସାବରେ ୧୮୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ ।

୫୬ ଦିନିଆ ପ୍ଲାନ୍

ସେହିପରି କମ୍ପାନୀ ନିଜର ୫୬ ଦିନିଆ ପ୍ଲାନକୁ ବି ବଢ଼ାଇ ଦେଇଛି । ପୂର୍ବରୁ ୫୬ ଦିନିଆ ପ୍ଲାନ ପାଇଁ ୪୭୯ ଓ ୫୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୫୭୯ ଓ ୬୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

୮୪ ଦିନିଆ ପ୍ଲାନ୍

ତିନି ମାସିଆ (୮୪) ଦିନିଆ ପ୍ଲାନରେ ବି ପରିବର୍ତ୍ତନ ହୋଇଛି । ପୂର୍ବରୁ ଏହି ପ୍ଲାନରେ ୩୯୩, ୬୬୬, ୭୧୯ ଓ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ ଏବେ ୪୭୯, ୭୯୯, ୮୫୯ ଓ ୧୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ବର୍ଷିକିଆ ପ୍ଲାନ୍

୩୩୬ ଦିନ ବର୍ଷିକିଆ ପ୍ଲାନର ଦାମ ବି ବଢ଼ିଛି । ପୂର୍ବରୁ ଏହି ପ୍ଲାନ ପାଇଁ ୧୫୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୧୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୩୬୫ ଦିନ ପ୍ଲାନ୍ ପାଇଁ ପୂର୍ବରୁ ୨୯୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩୫୯୯ ଟଙ୍କା ଦେବାକୁ ପଡିବ ।

ଡାଟା ଆଡ-ଅନ୍ ପ୍ଲାନ୍

କେବଳ ଏତିକି ନୁହେଁ ଜିଓ ନିଜର ଡାଟା ଆଡ଼ ଅନ୍ ପ୍ଲନକୁ ବି ରିଭାଇଜ କରିଛି । ପୂର୍ବରୁ ୟୁଜର୍ସଙ୍କୁ ୧୫, ୨୫ ଓ ୬୧ ଟଙ୍କାରେ ଦୈନିକ ଯଥାକ୍ରମେ 1GB, 2GB ଓ 6GB ଡାଟା ପାଉଥିଲେ । ହେଲେ ଏବେ ଏହି ଡାଟା ପାଇଁ ସେମାନଙ୍କୁ ଯଥାକ୍ରମେ ୧୯, ୨୯ ଓ ୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ନୂଆ ପୋଷ୍ଟପେଡ ପ୍ଲାନ୍

ପୋଷ୍ଟ ପେଡ ପ୍ଲାନକୁ ବି ବଢ଼ାଇଛି ଜିଓ । ୨୯୯ ଓ ୩୯୯ ଟଙ୍କା ବାଲା ପ୍ଲାନକୁ ବଢ଼ାଇ ୩୪୯ ଓ ୪୪୯ ଟଙ୍କା କରିଦେଇଛି ଜିଓ ।

କାହାକୁ ମିଳିବ ଅନଲିମିଟେଡ 5G ଡାଟା ?

ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଓ ସବୁ ୟୁଜର୍ସଙ୍କୁ ଅନଲିମିଟେଡ 5G ଡାଟା ଦେବା ବନ୍ଦ କରି ଦେଇଛି । ପ୍ରତିଦିନ 2GB କିମ୍ବା ତା’ଠାରୁ ଅଧିକ ଡାଟା ବାଲା ପ୍ଲାନ ବ୍ୟବହାର କରୁଥିବା ୟୁଜର୍ସ ଏବେ 5G ଡାଟା ପାଇପାରିବେ । ଅର୍ଥାତ ଯେଉଁ ୟୁଜର୍ସ ୨୯୯, ୩୪୯, ୩୯୯, ୫୩୩, ୭୧୯, ୯୯୯ ଓ ୨୯୯୯ ପ୍ଲାନ ନେଇଥିବା, ସେହିମାନେ ହିଁ ଅନଲିମିଟେଡ 5G ଡାଟାର ଲାଭ ଉଠାଇ ପାରିବେ ।

ଦୁଇଟି ନୂଆ ସର୍ଭିସ ଲଞ୍ଚ

ପ୍ଲାନର ଦାମ ବଢ଼ାଇବା ସହ ଜିଓ ଦୁଇଟି ନୂଆ ସର୍ଭିସ ଲଞ୍ଚ କରିଛି । ଠକେଇରୁ ୟୁଜର୍ସଙ୍କୁ ସୁରକ୍ଷା ଦେବା ପାଇଁ କମ୍ପାନୀ Jio Safe ସର୍ଭିସ ଲଞ୍ଚ କରିଛି । ଏହା ଏକ କ୍ବାଣ୍ଟମ ସିକ୍ବର କମ୍ୟୁନିକେସନ ଆପ୍ । ଯାହା ପାଇଁ ପ୍ରତିମାସ ୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହାବାଦ AI ବେସଡ୍ Jio Translate ସର୍ଭିସ ବି କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଛି । ଏଥିପାଇଁ ୟୁଜର୍ସଙ୍କୁ ପ୍ରତିମାସ ୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଏହି ଦୁଇ ସର୍ଭିସ ବର୍ତ୍ତମାନ ପାଇଁ କମ୍ପାନୀ ଗୋଟିଏ ବର୍ଷ ପାଇଁ ମାଗଣାରେ ଦେବାକୁ ଯାଉଛି ।