ନନ୍ଦିଘୋଷ ବ୍ୟୁରୋ: ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନୀତି ଏବେ ତେଜିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଆଜି ବିଜେଡିର ଏକ ଶକ୍ତିଶାଳୀ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟିବା ସହ ସରପଞ୍ଚଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏକ ଦାବିପତ୍ର ଉପସ୍ଥାପନ କରିଛନ୍ତି।
କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଏବଂ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ମହିଳା ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏହି ସାକ୍ଷାତକାର ସମୟରେ ଉପସ୍ଥିତ ଥିଲେ। ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ପ୍ରଶାସନ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ବିଜେଡି ଦଳ ତରଫରୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି।
ବିଜେଡିର ଚେତାବନୀ: ଏହି ସାକ୍ଷାତ ପରେ ବିଜେଡି ନେତୃବୃନ୍ଦ ପ୍ରଶାସନକୁ ଏକ ବଡ଼ ଚେତାବନୀ ମଧ୍ୟ ଦେଇଛନ୍ତି। ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ସରପଞ୍ଚ ଚାମେଲି ଓଝାଙ୍କୁ ଖୁବ୍ ଶୀଘ୍ର ନ୍ୟାୟ ନମିଳେ, ତେବେ ଆଗାମୀ ଦିନରେ ବିଜୁ ଜନତା ଦଳ ବ୍ୟାପକ ଆନ୍ଦୋଳନ କରିବ ଏବଂ ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନକୁ ଅଚଳ କରିଦେବାକୁ ବାଧ୍ୟ ହେବ। ଏହି ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନ ଏହା ଉପରେ ଆଗକୁ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

