spot_img

Latest Posts

ରାଜଧାନୀରେ ହାଇପ୍ରୋଫାଇଲ୍ ଠକେଇ! ସୁନା ଲୁଟି ଚମ୍ପଟ ମାରିଲା ଚୋର ।

ଭୁବନେଶ୍ୱର: ରାଜଧାନୀରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ। ଏଥର ଲୁଟ୍‌ର ତରିକା ବଦଳାଇ ସିଧା ଘରେ ପଶି କଳାକାନା ବୁଲାଇଛନ୍ତି ଠକ। ଗ୍ୟାସ ଡେଲିଭରି ବୟ ସାଜି ଦିନଦ୍ୱିପ୍ରହରରେ ଲୁଟ୍ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ତଥା ଭିଆଇପି ଅଞ୍ଚଳ କୁହାଯାଉଥିବା ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜ୍ ରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ମାମଲା।

ମିଳିଥିବା ସୂଚନା ମୁତାବକ, ଗତକାଲି ଜଣେ ଅଜଣା ଯୁବକ ଏକ ଗ୍ୟାସ ଏଜେନ୍ସିର ନାଁ ନେଇ ଉକ୍ତ ଘରେ ପଶିଥିଲା। ଗ୍ୟାସ ବୁକିଂ ବହି ଯାଞ୍ଚ କରିବା ଏବଂ ଓଟିପି (OTP) ମାଗିବା ବାହାନାରେ ସେ ଘରର ସଦସ୍ୟଙ୍କୁ ବିଭ୍ରାନ୍ତ କରିଥିଲା। ଏହି ସୁଯୋଗରେ ସେ ସେଠାରୁ ସୁନା ମୁଦି ସହ ଅନ୍ୟ ଜଣେ ମହିଳାଙ୍କ ଠାରୁ ପ୍ରାୟ ସାଢ଼େ ୫ ହଜାର ଟଙ୍କା ଝାମ୍ପି ନେଇଥିଲା।

ଚୋରି ସମ୍ପର୍କରେ ଜଣାପଡ଼ିବା ପରେ ଯେତେବେଳେ ଘର ମାଲିକ ତାକୁ ଧରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଲୁଟେରା ଜଣକ ତାଙ୍କୁ ଧକ୍କା ମାରିଥିଲା। ବାହାରେ ବାଇକ୍ ଧରି ଅପେକ୍ଷା କରିଥିବା ଅନ୍ୟ ଜଣେ ସହଯୋଗୀ ସହ ସେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା।

ଏ ନେଇ ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି (CCTV) କ୍ୟାମେରା ଫୁଟେଜ୍‌କୁ ଆଧାର କରି ଲୁଟେରା ଦ୍ୱୟଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଆଇଆରସି ଭିଲେଜ୍ ଭଳି ଏକ ହାଇପ୍ରୋଫାଇଲ୍ ଏବଂ ସୁରକ୍ଷିତ ଅଞ୍ଚଳରେ ଦିନଦ୍ୱିପ୍ରହରରେ ଏଭଳି ସାହସିକ ଚୋରି ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିବା ସହ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଦାବି ହେଉଛି।

Latest Posts

Don't Miss