ଝାରସୁଗୁଡ଼ା ଉପନିର୍ବାଚନ: ବହୁମାତ୍ରାରେ ଆସି ଭୋଟ୍ ଦେବାକୁ ମତଦାତାଙ୍କୁ ଅନୁରୋଧ କଲେ ନିର୍ବାଚନ ଅଧିକାରୀ

1 min read

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପ୍ରେସମିଟ୍ । ପ୍ରେସମିଟରେ ଉପନିର୍ବାଚନକୁ ନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ଧଳ । ସେ କହିଛନ୍ତି ଝାରସୁଗୁଡ଼ାରେ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନୀ ପ୍ରଚାର ସରିବ । ୩୩୦ ଜଣ ବରିଷ୍ଠ ନାଗରିକ ଘରେ ରହି ଭୋଟ ଦେବେ ବୋଲି ଅପିଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ମତଦାନ କରିଛନ୍ତି । ତେବେ ୧୦ ତାରିଖରେ ବହୁମାତ୍ରାରେ ଆସି ଭୋଟ ଦେବାକୁ ସେ ମତଦାତାମାନଙ୍କୁ ଅନୁରୋଧ କରିଛନ୍ତି ।

ଉପନିର୍ବାଚନ ପାଇଁ ମୋଟ୍ ୨୫୩ ବୁଥ୍ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରେ ୨୬ ଟି ପିଙ୍କ ବୁଥ୍ ରହିଛି ।ଏହିସବୁ ବୁଥର ଦାୟିତ୍ବରେ ରହିବେ ମହିଳା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ୨୬ ପିଙ୍କ ବୁଥରୁ ୨୦ ଟି ଝାରସୁଗୁଡ଼ା ମ୍ୟୁନିସପାଲିଟିରେ ରହିଛି । ବିନା ହିଂସାରେ ନିର୍ବାଚନ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି । ସେଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ନିର୍ବାଚଚମଣ୍ଡଳୀର ୨୫୩ଟି ବୁଥରୁ ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବାହିନୀ ନିୟୋଜିତ ହୋଇଛନ୍ତି । ସମସ୍ତ ବୁଥରେ ୧୦୧୨ ଜଣ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ଅତିରିକ୍ତ ୧୦୦ ଜଣ ପୋଲିଂ ଅଧିକାରୀଙ୍କୁ ରିଜର୍ଭ କରାଯାଇଛି । ୧୦୦ ପ୍ରତିଶତ ବୁଥରେ ଓ୍ବେବ କାଷ୍ଟିଙ୍ଗ ହେବ । ଭିନ୍ନକ୍ଷମ ଭୋଟର ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୯୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି । ସକାଳ 7ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ ।

ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ୧୭୧ଟି ଲାଇସେନ୍ସ ବନ୍ଧୁକ ଜିମା ନେଇଛି ପୋଲିସ । ୧୦୮ ଟି NBW ଏବଂ ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ଆସିଥିବା ବେଳେ ୯ଟି ମଡେଲ କୋର୍ଡ ଅଫ କଣ୍ଡର୍ଟ ଅଭିଯୋଗ ଆସିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ତେଣୁ ଏହି ନିର୍ବାଚନୀ ପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।