ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ରାଞ୍ଚି: ଅଫିସ ଅଫ ପ୍ରଫିଟ ମାମଲାରେ ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ମାଇନିଂ ମାମଲାରେ ତାଙ୍କୁ ଫସାଯାଉଥିବା ସୋରେନ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏକ ସାମ୍ବିଧାନିକ ପଦବୀରେ ଅଛି । କିନ୍ତୁ ଯେଉଁଭଳି ଭାବେ ମୋତେ ସମନ କରାଯାଇଛି ଲାଗୁଛି ମୁଁ ଦେଶ ଛାଡି ଫେରାର ହୋଇଯିବି’’।
ବିଜେପି ଇଙ୍ଗିତରେ କେନ୍ଦ୍ରୀୟ ଏଜେନ୍ସି ବିରୋଧୀଙ୍କୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି । ରାଞ୍ଚିରେ ଜେଏମଏମ ନେତା ଓ ସମର୍ଥକମାନେ ଏକାଠି ହୋଇ ସୋରେନଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରାଯାଉଥିବା ନେଇ ନାରାବାଜି କରିଥିଲେ । ସମର୍ଥକଙ୍କ ଭିଡକୁ ଦୃଷ୍ଟିରେ ରଖି ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଇଡି ସମନ ପରେ ଗତକାଲି ଜେଏମଏମ ଓ କଂଗ୍ରେସ ବିଧାୟକଙ୍କ ଅଲଗା ଅଲଗା ବୈଠକ ବସିଥିଲା । ଏହାପରେ ସୋରେନ ସରକାରରେ ସାମିଲ ଥିବା ସମସ୍ତ ଦଳର ବିଧାୟକଙ୍କ ବୈଠକ ହୋଇଥିଲା । ବୈଠକରେ ନିଷ୍ପତ୍ତି ମୁତାବକ ଆଜି ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବେ । ବେଆଇନ ଖଣି ଖନନ, ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ଏକାଧିକ ଗିରଫଦାରୀ କରିସାରିଛି ।