spot_img

Latest Posts

ମହାପ୍ରଭୁଙ୍କୁ ନେଇ ବିଭ୍ରାନ୍ତିକର ଆନିମେସନ ସିନେମା

ନନ୍ଦିଘୋଷ ବ୍ୟୁରୋମହାପ୍ରଭୁ ଜଗନ୍ନାଥଙ୍କ ମହିମା ଓ ଗୌରବକୁ ନେଇ ପ୍ରସ୍ତୁତ ହୋଇଛି ଏକ ବିଭ୍ରାନ୍ତିକର ଆନିମେସନ ସିନେମା। ଏହି ସିନେମା ଆସନ୍ତା ଜୁଲାଇ ୧୦ ତାରିଖରେ ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ତେବେ ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଏପରି ସିନେମା କାହାଣୀକୁ ନେଇ ଏବେ ତୀବ୍ର ପ୍ରତିବାଦର ସ୍ୱର ଉଠିଛି।

ନିଜେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଏହି ଘଟଣାକୁ ନେଇ ଦୃଢ଼ ପ୍ରତିବାଦ କରିବା ସହ ସିନେମାର ରିଲିଜ୍‌କୁ ସ୍ଥଗିତ ରଖିବାକୁ ଅପିଲ କରିଛନ୍ତି। ଏକ ଲିଖିତ ପ୍ରେସ ବିବୃତି ଜାରି କରି ଗଜପତି ମହାରାଜ ଜଣାଇଛନ୍ତି ଯେ, ଭୁବନେଶ୍ୱରର ମେସର୍ସ ଏଲି ଆନିମେସନ ପ୍ରାଇଭେଟ ଲିମିଟେଡ ‘ମହାପ୍ରଭୁ ଜଗନ୍ନାଥ’ ଶୀର୍ଷକ ଏହି ଆନିମେସନ ସିନେମା ପ୍ରସ୍ତୁତ କରିଛନ୍ତି। ଯାହାର ଅଫିସିଆଲ ଟ୍ରେଲର ମଧ୍ୟ ରିଲିଜ ହୋଇ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଗଜପତିଙ୍କ କହିବା ଅନୁଯାୟୀ, ଯେଉଁ କାହାଣୀକୁ ଆଧାର କରି ସିନେମା ତିଆରି କରାଯାଇଛି, ତାହା ସମ୍ପୂର୍ଣ୍ଣ ଭାବେ ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ପ୍ରଣୀତ ପବିତ୍ର ଧର୍ମଗ୍ରନ୍ଥର ବିରୁଦ୍ଧାଚରଣ କରୁଛି। ଏଥିରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ କଥାବସ୍ତୁ ସମ୍ପୂର୍ଣ୍ଣ ଭାବେ ମନଗଢ଼ା। ଏଭଳି ସିନେମା କାହାଣୀ ମେସର୍ସ ଏଲି ଆନିମେସନ କେଉଁଠୁ ପାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି, ଯାହାକି ମହାପ୍ରଭୁଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେବ।

ମହାରାଜା ସ୍ପଷ୍ଟ କରିଛନ୍ତି ଯେ, ଯଦି ମହାପ୍ରଭୁଙ୍କ ଗୌରବ ଗାଥା ସମ୍ପର୍କରେ କାହାର କିଛି କହିବାର ଅଛି, ତାହେଲେ ସେ ଧର୍ମଗ୍ରନ୍ଥ ଦ୍ୱାରା ବର୍ଣ୍ଣିତ ପ୍ରାମାଣିକ ତଥ୍ୟ ଆଧାରରେ ହିଁ ହେବା ଦରକାର। ସିନେମା ଜରିଆରେ ଏଭଳି ବିଭ୍ରାନ୍ତିକର ଉପସ୍ଥାପନା ଭକ୍ତଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରୁଛି। ତେଣୁ ଏହି ସିନେମାର ବିଷୟବସ୍ତୁ ଯେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ତର୍ଜମା କରାଯାଇନାହିଁ, ସେପର୍ଯ୍ୟନ୍ତ ଏହାର ରିଲିଜ୍ ସ୍ଥଗିତ ରଖିବାକୁ ଗଜପତି ମହାରାଜା କହିଛନ୍ତି ।

Latest Posts

Don't Miss