ମନମୋହିଲା ସାବିତ୍ରୀଙ୍କ ନୃତ୍ୟ

ଜୟପୁର: ମନୋବଳ ଦୃଢ ଥିଲେ ସବୁକିଛି ସମ୍ଭବ। ଇଛାଶକ୍ତି ଆଗରେ ହାର ମାନେ ଅକ୍ଷମତା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜୟପୁର ବୋରିଗୁମ୍ମା ବ୍ଲକ ଢୁଟିଗୁଡ଼ା ଗାଁର ସାବିତ୍ରୀ ପୂଜାରୀ । ଏହି ୯ ବର୍ଷର କୁନି ଝିଅକୁ ନେଇ ଏବେ ସବୁଠି ଚର୍ଚ୍ଚା । ବୋରିଗୁମ୍ମା ଦିବ୍ୟାଙ୍ଗ ଉତ୍ସବରେ ଗୋଟିଏ ଗୋଡ଼ରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିଛନ୍ତି ସାବିତ୍ରୀ ।

ସିଏ ନାଚ ହେଉ କି ଖେଳ । ସବୁଥିରେ ଆଗୁଆ । ମନୋବଳ ଓ ଇଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ଟିକେ ଭଲ କରି ଦେଖନ୍ତୁ ଏହି କୁନିଝିଅକୁ । ଏହି କୁନି ଝିଅ ଏବେ ସମସ୍ତଙ୍କ ପାଇଁ ସାଜିଛି ପ୍ରେରଣା । ବୋରିଗୁମ୍ମା ବ୍ଲକ ଢୁଟିଗୁଡ଼ା ଗାଁର ସାବିତ୍ରୀ ପୂଜାରୀ । ବୟସ ମାତ୍ର ୯ ବର୍ଷ । ଚାଷୀ ପରିବାରରେ ଜନ୍ମ । ଜନ୍ମ ବେଳୁ ଗୋଟିଏ ଗୋଡ଼ ନାହିଁ କି ହାତର ଆଙ୍ଗୁଠି ବି ନାହିଁ । ତଥାପି ପାଠ, ନାଚ, ଖେଳକୁଦରେ ଅନ୍ୟମାନଙ୍କ ତୁଳନାରେ କୌଣସି ଗୁଣରେ କମ ନୁହେଁ । ତାର ଦୃଢ ମନୋବଳ ଦେଖି ମାଆବାପା ଝିଅର ଅକ୍ଷମତାକୁ ପାସୋରି ଦେଇଥିବାବେଳେ ଝିଅ ମଧ୍ୟ ତାଙ୍କର ଟେକ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରୁଛି।

ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲକୁ ଯାଏ ସାବିତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଇ ସାଇକେଲ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି । ସରକାରଙ୍କ ପ୍ରୋତ୍ସାହନ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ପାଠରେ ବି ବେଶ ଆଗରେ ସାବିତ୍ରୀ। ବୋରିଗୁମ୍ମା କ୍ରୀଡ଼ା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ସାମିଲ ହୋଇ ସମସ୍ତଙ୍କ ମନ ଜିତିଛି ସାବିତ୍ରୀ । ତାର ନୃତ୍ୟ ଦେଖଣାହାରୀଙ୍କୁ ବେଶ ପସନ୍ଦ ଆସିଛି।