ବର୍ଷିଲା ଓଡ଼ିଶା ପୋଲିସ ସର୍ଭିସ ଆସୋସିଏସନ, ପୋଲିସଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ଜୟନାରାୟଣ

ଭୁବନେଶ୍ୱର: ଓଡ଼ିଶା ପୋଲିସ ପ୍ରତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅପମାନ ସୂଚକ ମନ୍ତବ୍ୟକୁ ସବୁଠି ନିନ୍ଦା କରାଯାଉଛି । ପ୍ରେସମିଟ୍ କରି ଜୟନାରାୟଣଙ୍କ ଉପରେ ବର୍ଷିଛି ଓଡ଼ିଶା ପୋଲିସ ସର୍ଭିସ ଆସୋସିଏସନ । ପୋଲିସର ମନୋବଳ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରାଜ୍ୟରେ ଖରାପ ବାତାବରଣ ସୃଷ୍ଟି କରିଛନ୍ତି । ଗୋଟିଏ ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବା ବେଳେ ପୋଲିସ ବିଭାଗର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠାଉବାକୁ ନିନ୍ଦା କରିଛି ସଂଘ । ଅନେକ ସମୟରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଯୋଗୁ ଅନେକ ରାଜନେତାଙ୍କ ଜୀବନ ରକ୍ଷା ହୋଇପାରିଛି । ପୂର୍ବରୁ ସୁଦାମ ମାରାଣ୍ଡିଙ୍କ ଜୀବନ ରକ୍ଷା କରିବାକୁ ଯାଇ ଦୁଇଜଣ ସୁରକ୍ଷା ଅଧିକାରୀ ସହିଦ ହୋଇଯାଇଥିଲେ । ଏପରି ଅନେକ ଉଦାହରଣ ରହିଛି, ଯେଉଁଠି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ, ରାଜନେତା ଓ ଅନ୍ୟ ଅଧିକାରୀଙ୍କୁ ଅନେକ ବିପଦରୁ ରକ୍ଷା କରିପାରିଛନ୍ତି ।

ଜଣେ ପୋଲିସ ଅଧିକାରୀଙ୍କ ଭୁଲ ଯୋଗୁ ରାଜ୍ୟର ସମସ୍ତ ପୋଲିସଙ୍କୁ ଦୋଷୀ କହିବା ଓ ଅପରାଧପ୍ରବଣ କହିବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠାଇଛି ସଂଘ । ଗଣତନ୍ତ୍ରରେ ସମସ୍ତଙ୍କର ମନ୍ତବ୍ୟ ଦେବାର ଅଧିକାର ରହିଛି । ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପୋଲିସଙ୍କୁ କରିଛି ମର୍ମାହତ । ବାରମ୍ବାର ପୁଲିସକୁ ସମାଲୋଚନା କରିବାରୁ ଜୟନାରାୟଣ ମିଶ୍ର କ୍ଷ୍ୟାନ୍ତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନେ କହିଛନ୍ତି ।