ଜନ୍ତର-ମନ୍ତରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ମହାପଞ୍ଚାୟତ

1 min read

ନୂଆଦିଲ୍ଲୀ: ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଦିଲ୍ଲୀର ଜନ୍ତରମନ୍ତରରେ କୃଷକ ମହାପଞ୍ଚାୟତ କାର୍ଯ୍ୟକ୍ରମ ରହିଛି । ତେବେ ଏହି ମହାପଞ୍ଚାୟତରେ ବିପୁଳ ସଂଖ୍ୟାରେ କୃଷକମାନେ ସାମିଲ ହେବେ । ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି । ଗୋଟିଏ ଦିନିଆ କାର୍ଯ୍ୟକ୍ରମ ରହିଛି । ଯାହାକି ସମ୍ପୂର୍ଣ୍ଣ ଭାବେ ଶାନ୍ତି ଏବଂ ଅନୁଶାନସହ ସହ ଆୟୋଜିତ ହେବ । ଜନ୍ତର-ମନ୍ତରରେ ଆଜି କୃଷକଙ୍କ ବିରୋଧ ପ୍ରଦର୍ଶନ ଆହ୍ୱାନ ପୂର୍ବରୁ ସିନ୍ଧୁ ସୀମାରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ବିଭିନ୍ନ ସ୍ଥାନରେ 144 ଧାରା ଜାରି କରାଯାଇଛି ।

ଏହା ବ୍ୟତୀତ ରାଜଧାନୀ ଦିଲ୍ଲୀକୁ ଆସୁଥିବା ଗାଡ଼ି ଉପରେ ନଜର ରଖାଯାଇଛି । ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜନ୍ତର-ମନ୍ତରରେ ଏହି ମହାପଞ୍ଚାୟତ ସକାଳ ୧୧ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଆୟୋଜିତ ହେବ । ମହାପଞ୍ଚାୟତ ସରିବା ପରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ମିଳିତ କୃଷକ ମୋର୍ଚ୍ଚା ସୂଚନା ଦେଇ କହିଛି, ଯଦି ସରକାର କାର୍ଯ୍ୟକ୍ରମରେ କୌଣସି ପ୍ରକାର ବାଧା ସୃଷ୍ଟି କରନ୍ତି ତେବେ ସରକାର ଏଥିପାଇଁ ନିଜେ ଦାୟୀ ରହିବେ ।

ପ୍ରକାଶଯୋଗ୍ୟ, କୃଷକ ପଞ୍ଚାୟତ ପକ୍ଷରୁ ଅନେକ ଦାବି କରାଯାଉଛି । ଏଥିମଧ୍ୟରେ ପ୍ରମୁଖ ଦାବି ହେଉଛି ଲକ୍ଷ୍ମିପୁର ଖେରି ନରସଂହାରର ପୀଡିତ କୃଷକ ପରିବାରକୁ ନ୍ୟାୟ ମିଳୁ । ସେହିପରି ଜେଲରେ ବନ୍ଦୀ କୃଷକଙ୍କ ମୁକ୍ତି ଏବଂ ନରସଂହାରର ମୁଖ୍ୟ ଦୋଷୀ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଗିରଫଦାରୀ ପାଇଁ ଦାବି କରାଯାଉଛି । ସ୍ୱାମୀନାଥନ ଆୟୋଗର ସି-୨୦ ପ୍ଲସ ୫୦ ପ୍ରତିଶତ ଫର୍ମୁଲା ଅନୁସାରେ ଏମଏସପିର ଗ୍ୟାରେଣ୍ଟି ଆଇନ ଅଣାଯାଉ ଏବଂ ଦେଶର ସମସ୍ତ କୃଷକଙ୍କୁ ଋଣମୁକ୍ତ କରାଯାଉ । ବିଜୁଳି ବିଲ୍ ୨୦୨୨କୁ ରଦ୍ଦ କରାଯାଉ । ଅନ୍ୟପକ୍ଷରେ ଗତାକାଲିଠୁ କୃଷକନେତା ରାକେଶ ଟିକାୟତ ଅଟକ ରହିଛନ୍ତି ।