ଯାଜପୁର ରୋଡ୍ ସେନକୋ ଗୋଲ୍ଡ ଦୋକାନରୁ ଲୁଟ୍ ଘଟଣାରେ ତନାଘନା, ଗୁରୁତର ସହ ନେଇ ତଦନ୍ତ କରୁଛି ପୋଲିସ

ଯାଜପୁର: ଯାଜପୁର ବ୍ୟାସନଗର ସହରର ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ସୁନା ଦୋକାନରୁ ଲୁଟ୍ ଘଟଣାରେ ତନାଘନ । ବଡ଼ ଧରଣର ଡକାୟତି ଘଟଣାରେ ଏପର୍ଯ୍ୟନ୍ତ ଧରା ପଡ଼ିନାହାନ୍ତି ଲୁଟେରା । ଗତକାଲି ଦିନ ଦ୍ୱିପ୍ରହରରେ ସୋ ରୁମକୁ ଗ୍ରାହକ ବେଶରେ ଆସି ୭ ଜଣ ଲୁଟେରା ୧୫ କୋଟିରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ । ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ କରୁଛି ପୋଲିସ । ଅନ୍ୟପଟେ ସାମ୍ନାକୁ ଆସିଛି ଲୁଟ୍ ସମୟର ସିସିଟିଭି ଫୁଟେଜ୍ । ବାଇକରେ ଆସି ଲୁଟେରା କିପରି ଲୁଟ୍ କରି ନେଇଯାଉଛନ୍ତି ତା’ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସୁନା ଦୋକାନ ସମ୍ମୁଖରେ ଥିବା ଏକ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟେରାମାନେ ଲୁଟ୍ କରି ଫେରାର ହେଉଥିବାର ଦୃଶ୍ୟ ରହିଛି । ପୋଲିସ ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ କରୁଛି । ଗତକାଲି ଦିନ ୨ଟା ସମୟରେ ୭ ଜଣ ଡକାୟତ ସୋ ରୁମ୍ ଭିତରକୁ ଗ୍ରାହକ ବେଶରେ ପ୍ରବେଶ କରିଥିଲେ । ପରେ କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧୁକ ମୁନରେ ଗହଣା ସବୁ ଲୁଟି ନେବା ସହ ବାହାରୁ ସଟର ପକାଇ ଫେରାର ହୋଇ ଯାଇଥିଲେ । ଆକ୍ରମଣରେ ସୋ ରୁମର ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି ।