ଆଜି ହାଇଦ୍ରାବାଦକୁ ଭେଟିବ ମୁମ୍ବାଇ, ବ୍ରୁକଙ୍କ ଉପରେ ରହିବ ସମସ୍ତଙ୍କ ନଜର

ହାଇଦ୍ରାବାଦ: ଆଇପିଏଲରେ ବଢ଼ୁଛି ରୋମାଞ୍ଚ । ଆଜି ଆଇପିଏଲର ୨୫ତମ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ହାଇଦ୍ରାବାଦ ଜୋରସୋରରେ ଅଭ୍ୟାସ ଜାରି ରଖିଛି ।

ଚଳିତ ଆଇପିଏଲରେ ଉଭୟ ଦଳ ଏପର୍ଯ୍ୟନ୍ତ ୪ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । ଏହି ୪ ମ୍ୟାଚ୍ ମଧ୍ୟରୁ ହାଇଦ୍ରାବାଦ ଓ ମୁମ୍ବାଇ ପ୍ରଥମ ୨ଟି ମ୍ୟାଚରେ ପରାଜୟ ବରଣ କରିଥିବାବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛନ୍ତି ଉଭୟ ଦଳ । ତେଣୁ ଆଜିର ମ୍ୟାଚରେ ମଧ୍ୟ ବିଜୟ ଲାଭ କରି ଏହି ବିଜୟ ଧାରାକୁ ଜାରି ରଖିବାକୁ ଚେଷ୍ଟା କରିବେ ଦୁଇ ଦଳ । ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିବ ହ୍ୟାରୀ ବ୍ରୁକଙ୍କ ଉପରେ । ବ୍ରୁକ୍ କେକେଆର ବିପକ୍ଷରେ ଦମଦାର ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ତେବେ ମୁମ୍ବାଇର ବୋଲିଂ ବିଭାଗ ଦୁର୍ବଳ ଥିବାରୁ ଏହାର ଫାଇଦା ଉଠାଇ ପାରନ୍ତି ବ୍ରୁକ୍ ।

ଅନ୍ୟପକ୍ଷରେ ମୁମ୍ବାଇ କଥା ଯଦି କହିବା ତାହାଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଶାନ ଫର୍ମକୁ ଫେରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍ ଗତ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତେଣୁ ଆଜିର ମ୍ୟାଚରେ ଏହି ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ହାଇଦ୍ରାବାଦ ପାଇଁ ଚ୍ୟାଲେଞ୍ଜ ହେବ ।