ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ସହଜ ବିଜୟ

1 min read

ରାଇପୁର: ଭାରତର ଆଉ ଏକ ସିରିଜ୍ ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ । ରାୟପୁରରେ ଭାରତର ଦମଦାର ବିଜୟ । ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କଲା ରୋହିତ ଆଣ୍ଡ କୋ । ଏହି ବିଜୟ ସହ ଭାରତୀୟ ଦଳ ତିନିଟିକିଆ ସିରିଜରେ ୨-୦ରେ ଆଗୁଆ ହୋଇଛି । କମ ସ୍କୋର ବିଶିଷ୍ଟ ଏହି ମ୍ୟାଚରେ ଭାରତ ଆଗରେ ୧୦୯ରନର ବିଜୟ ଲକ୍ଷ୍ୟ ରହିଥିଲା ଭ୍ରମଣକାରୀ ଦଳ । ତେବେ ଭାରତ ମାତ୍ର ୨୦ ଓଭର ଗୋଟିଏ ବଲରେ ଦୁଇଟି ଓ୍ବିକେଟ ହରାଇ ମ୍ୟାଚ ହାତେଇ ନେଇଛି । ରୋହିତ ଶର୍ମା ୫୧ ରନ୍ ଓ ଶୁଭମନ ଗିଲ୍ ଅପରାଜିତ ୪୦ ରନ୍ କରିଥିବାବେଳେ ବିରାଟ କୋହଲି ୧୧ ରନ କରିଥିଲେ । ଇଶାନ କିଷନ ଅପରାଜିତ ୮ ରନ କରିଥିଲେ ।

ପ୍ରଥମେ ନ୍ୟୁଜିଲାଣ୍ଡ ବ୍ଯାଟିଂ କରି ୩୪.୩ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା । ୧୦୯ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଉଭୟଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖାଯାଇଥିଲା । ଯେହେତୁ ଟାର୍ଗେଟ କମ୍ ଥିଲା ଉଭୟେ ଫ୍ରିରେ ଖେଳିଥିଲେ । ରୋହିତ ଶର୍ମା ୫୦ ଟି ବଲରେ ୫୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ବିରାଟ କୋହଲି ମଧ୍ୟ ୯ ଟି ବଲରେ ୧୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଶୁଭମନ ଗିଲ୍ ୫୩ ବଲରେ ୪୦ ରନ୍ ଏବଂ ଇଶା କିଶନ ୯ ଟି ବଲରେ ୮ ରନ୍ କରି ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ଶିପଲେ ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ରାଇପୁରର ଆଜିର ମ୍ୟାଚରେ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ କ୍ରୀଜରେ ଅଧିକ ସମୟ ତିଷ୍ଟିପାରିନଥିଲେ କିୱି ବ୍ୟାଟର । ୩୪.୩ ଓଭରରେ ଦଳ ନିଜର ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲେ କିୱି ବ୍ୟାଟର । ନ୍ୟୁଜିଲାଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଫିନ୍ ଆଲେ ଏବଂ ଦେଭୋନ କନୱେୟ ଖରାପ ଆରମ୍ଭ କରିଥିଲେ । କିଛି ରନ୍ ନକରିପାରି ଫିନ୍ ଆଲେ ଆଉଟ୍ ହୋଇଯାଇଥିବା ବେଳେ ଦେଭୋନ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଦଳ ପକ୍ଷରୁ ଗ୍ଲେନ ମିଚେଲ ସର୍ବାଧିକ ୩୬ ରନ୍ କରିଥିବା ବେଳେ ମାଇକେଲ ବ୍ରେସୱେଲ୍ ୨୨ ଏବଂ ମାଇକେଲ ସାଣ୍ଟନର ୨୭ ରନ୍ କରିଥିଲେ । ଏହି ତିନି ବ୍ୟାଟ୍ସମ୍ୟାନଙ୍କୁ ଛାଡିଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁବାରେ ସମର୍ଥ ହୋଇନଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୩ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱାଶିଂଟନ ସୁନ୍ଦର ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ମହମ୍ମଦ ସିରାଜ, ଶ୍ରାଦ୍ଧୁଳ ଠାକୁର ଓ କୁଲଦୀପ ଯାଦବ ଗୋଟେ ଲେଖାଏଁ ୱିକେଟ୍ ନେଇଥିଲେ ।