୧୯୨୮ରେ ଦୁନିଆ ଦେଖିଥିଲା ’ଧ୍ୟାନ ଚାନ୍ଦ’ଙ୍କ ଯାଦୁ; ଭାରତ ଜିତିଥିଲା ପ୍ରଥମ ସ୍ୱର୍ଣ୍ଣ ପଦକ

1 min read

ଚଳିତ ଜୁଲାଇ ୨୩ରେ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି ଟୋକିଓ ଅଲମ୍ପିକ୍ସ । କରୋନା ଲାଗି ଗତ ବର୍ଷ ସ୍ଥଗିତ ଥିଲା ଟୋକିଓ ଅଲିମ୍ପିକ୍ ୨୦୨୦। ଏହି ଅଲମ୍ପିକ୍ ଖେଳରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିବା ସହ ମେଡାଲ୍ ହାତେଇବେ ବୋଲି ଆଶା କରାଯାଉଛି । ତେବେ ଜାଣିଛନ୍ତି କି ଭାରତ ପ୍ରଥମ ଥର ପାଇଁ କେବେ ଅଲମ୍ପିକ୍ସରେ ମେଡାଲ୍ ଜିତିଥିଲା । ଆସନ୍ତୁ ଜାଣିବା ଭାରତ ଅଲମ୍ପିକ୍ସରେ କେବେ ଜିତିଥିଲା ପ୍ରଥମ ପଦକ…

ଅଲମ୍ପିକ ଆସୋସିଏସନ୍ ମୁତାବକ ଭାରତ ପ୍ରଥମ ଅଲମ୍ପିକ ମେଡାଲ୍ ୧୯୦୦ ମସିହାରେ ହାତେଇଥିଲା । ହେଲେ ପ୍ରକୃତରେ କହିବାକୁ ଗଲେ ଏହି ଗେମ୍ସରେ ୧୯୨୮ ମସିହାରେ ଭାରତର ପଦକ ଯାତ୍ରା ଆରମ୍ଭ ହୋଇଥିଲା । ୧୯୨୮ ଅଲିମ୍ପିକ୍ ଗେମ୍ସରେ ଭାରତୀୟ ହକି ଦଳ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା | ଏମଷ୍ଟରଡାମରେ ଆୟୋଜିତ ଏହି ଖେଳରେ ଜୟପାଲ ସିଂ ଭାରତୀୟ ଦଳର କ୍ୟାପ୍ଟେନସିପ୍ କରିଥିଲେ। ହକିରେ ଏହି ବିଜୟ ସହିତ ସାରା ବିଶ୍ୱ ପ୍ରଥମ ଥର ପାଇଁ ହକି ଯାଦୁକର ‘ଧାନଚାନ୍ଦ’ଙ୍କ ଯାଦୁ ଦେଖିଥିଲା।

ଏହି ଖେଳ ପାଇଁ ଭାରତ ତରଫରୁ ଏକ ୧୩ ଜଣିଆ ଦଳ ପଠାଯାଇଥିଲା । ଖାଲି ଏତିକି ନୁହେଁ ସମସ୍ତ ଖେଳାଳି ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ମଧ୍ୟ ପାଇଥିଲେ । ଏହା ପ୍ରଥମ ଅଣ-ୟୁରୋପୀୟ ଦଳ ଥିଲା, ଯିଏକି ଅଲିମ୍ପିକ୍ ଗେମ୍ସରେ ହକିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ସେପର୍ଯ୍ୟନ୍ତ ଅଲିମ୍ପିକ୍ ଗେମ୍ସରେ ଭାରତର କୌଣସି ଅସ୍ତିତ୍ୱ ନଥିଲା, ହେଲେ ୧୯୨୮ ପରଠାରୂ ସବୁକିଛି ବଦଳି ଯାଇଥିଲା |

ପୂରା ଟୁର୍ଣ୍ଣାମେଣ୍ଟରେ ଭାରତର ଦବଦବା ରହିଥିଲା
ଭାରତକୁ ମିଳିଥିବା ଏହି ପ୍ରଥମ ସ୍ୱର୍ଣ୍ଣ ପଦକ ବିଶ୍ୱ ଆଗରେ ଦେଶର ଛବି ବଦଳାଇ ଦେଇଥିଲା । କୁହାଯାଏ ୧୯୨୪ ପର୍ଯ୍ୟନ୍ତ ଅଲମ୍ପିକ୍ସରେ ହକିର ସ୍ଥାନ ନଥିଲା । ହେଲେ ଭଗବାନଙ୍କ ଆର୍ଶିବାଦ ଭଳି ୧୯୨୮ରେ ଏହାକୁ ଅଲମ୍ପିକ୍ସରେ ସାମିଲ କରାଯାଇଥିଲା। ଯାହା ପରେ ଭାରତ ନିଜର ଏକପାଖିଆ ବିଜୟ ସହ ସ୍ୱର୍ଣ୍ଣ ପଦକ ହାତେଇ ଥିଲା। କେବଳ ଫାଇନାଲରେ ନୁହେଁ ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା । ସ୍ଥିତି ଏଭଳି ଥିଲା ଯେ କୌଣସି ଦଳ ସେମାନଙ୍କ ବିପକ୍ଷରେ ଗୋଟିଏ ବି ଗୋଲ ସ୍କୋର କରିପାରି ନଥିଲା। କିନ୍ତୁ ଭାରତ ମୋଟ ୨୯ଟି ଗୋଲ ସ୍କୋର କରିଥିଲା।

ମେ ୧୭ରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ଅଲିମ୍ପିକ୍ ଗେମ୍ସରେ ଭାରତ ଏହାର ପ୍ରଥମ ମ୍ୟାଚ୍ ୬-୦ରେ ଜିତିଥିଲା | ଭାରତ ଏହା ପରେ ବେଲଜିୟମକୁ ୯-୦ ରେ ପରାସ୍ତ କରିଥିଲା। ଖାଲି ଏତିକି ନୁହେଁ ଡେନମାର୍କକୁ ୫-୦ ଏବଂ ସ୍ୱିଜରଲ୍ୟାଣ୍ଡକୁ ୬-୦ ରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଧ୍ୟାନ୍ ଚାନ୍ଦ ନିଜର ଦମଦାର ପ୍ରଦର୍ଶନ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ହକିର ଯାଦୁଗର ଧ୍ୟାନ୍ ଚାନ୍ଦ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ଏକାକୀ ୧୪ ଗୋଲ ସ୍କୋର କରିଥିଲେ।

ଫାଇନାଲରେ ନେଦରଲ୍ୟାଣ୍ଡ ବିପକ୍ଷରେ ଇତିହାସ ସୃଷ୍ଟି
୧୯୨୮ ମସିହା ମେ ୨୬ ତାରିଖ ଦିନ ଭାରତୀୟ ଦଳ ଇତିହାସ ସୃଷ୍ଟି କରିଥିଲା । ହେଲେ ଫାଇନାଲ ଜିତିବା ଭାରତୀୟ ଦଳ ପାଇଁ ସେତେଟା ସହଜ ନଥିଲା, କ୍ୟାପ୍ଟେନଙ୍କୁ କୌଣସି କାରଣ ପାଇଁ ସ୍ୱଦେଶ ଫେରିବାକୁ ପଡ଼ିଥିଲା । ଯାହା ପରେ ଏହି ଐତିହାସିକ ମ୍ୟାଚର ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ ଏରିକ୍ ପିନ୍ନିଗର୍ । ଏରିକଙ୍କ ଅଧିନାୟକତ୍ୱରେ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ୩-0ରେ ଫାଇନାଲରେ ଟାଇଟଲ ଜିତିଥିଲା | ଏହି ମ୍ୟାଚରେ ତିନୋଟି ଗୋଲ୍ ସ୍କୋର କରି ଧ୍ୟାନ ଚାନ୍ଦ ପୁଣି ଥରେ ଫାଇନାଲରେ ଚମକି ଥିଲେ। କେବଳ ଏତିକି ନୁହେଁ ଧ୍ୟାନଚାନ୍ଦଙ୍କ ଭଳି ଚମକି ଥିଲେ ଷ୍ଟାର ଗୋଲକିପର ରିଚାର୍ଡ ଜେମ୍ସ ଆଲେନ୍ । ଯିଏକି ପୂରା ଟୁର୍ଣ୍ଣାମେଣ୍ଟରେ ପ୍ରତିପକ୍ଷଙ୍କୁ ଗୋଟିଏ ବି ଗୋଲ୍ ସ୍କୋର କରିବାକୁ ଦେଇନଥିଲେ । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ।

Leave a Reply