ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି

1 min read

ନନ୍ଦିଘୋଷ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ପରେ ଭାରତୀୟ କ୍ରିକେଟ ଟିମ୍ ସବୁ ଫର୍ମାଟ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନତି ହୋଇଛି । ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ କ୍ରିକେଟରେ ଭାରତ ନମ୍ବର ଓ୍ବାନ ସ୍ଥାନରେ ପହଞ୍ଚିଛି  । ଆଜି ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି  । ଅଷ୍ଟ୍ରେଲିଆ ବିପକ୍ଷ ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚକୁ ୫ ଓ୍ବିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ  । ଛକା ମାରି ଭାରତକୁ ବିଜୟୀ କରାଇଛନ୍ତି କେ.ଏଲ ରାହୁଲ  । ଟିମ୍ ଇଣ୍ଡିଆର ୪ ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି  । ଶୁଭମନ ଗିଲ୍ ସର୍ବାଧିକ ୭୪ ରନ କରିଥିବାବେଳେ ଋତୁରାଜ ଗାଏକ୍ବାଡ ୭୧, କ୍ୟାପଟେନ କେ.ଏଲ ରାହୁଲ ଅପରାଜିତ ୫୮ ଏବଂ ସୂର୍ଯ୍ୟକୁମାର ଯାଦବ ୫୦ ରନ କରିଥିଲେ  । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ  । ୫୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୭୬ ରନ କରିଥିଲା ଅଷ୍ଟ୍ରେଲିଆ  । ଓ୍ବାର୍ଣ୍ଣର ସର୍ବାଧିକ ୫୨ରନ କରିଥିବାବେଳେ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ କରିପାରିନଥିଲେ  । ମୋହାଲିରେ ଜଲଓ୍ବା ଦେଖାଇଥିଲେ ମହମ୍ମଦ ସାମି  । ସାମି ଏକାକୀ ୫ଟି ଓ୍ବିକେଟ ନେଇଥିବାବେଳେ ବୁମରା, ଅଶ୍ବିନୀ, ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।India vs Australia Highlights: KL Rahul smashes winning SIX as India  defeats Australia by 5 wickets | Mint

୨୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ଋତୁରାଜ ଓ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ଉଭୟଙ୍କ ଭାଗିଦାରୀ ଦଳର ସ୍କୋରକୁ ଆଗକୁ ନେଇଥିଲା  । ପରେ ଅନ୍ୟ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିବା ସହିତ ଦଳକୁ ବିଜୟ ଅଭିମୁଖେ ନେଇଥିଲେ  । ଶେଷରେ କେଏଲ ରାହୁଲ ଓ ଜାଡେଜା ମିଳିତ ଭାବେ ୮ଟି ବଲ ପୂର୍ବରୁ ଦଳକୁ ଜିତାଇଥିଲେ  । ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ ଜିତି ଏବେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ  ।