ଗୋଟିଏ ଦିନରେ ୪ହଜାର ୨୨୫ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିଛନ୍ତି

1 min read

ଭୁବନେଶ୍ୱର: ଭୂତାଣୁ ଭୟରେ ଭିଟାମାଟି ମୁହାଁ ପ୍ରବାସୀ । ପ୍ରତିଦିନ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଲକଡାଉନ୍ ପରଠାରୁ ଏଯାବତ୍‌ ରାଜ୍ୟକୁ ମୋଟ ୩୯ ହଜାର ୭୬୫ ଜଣ ଓଡ଼ିଶା ଫେରିଲେଣି । ବସ୍ ଓ ଟ୍ରେନ୍ ସମେତ ଅନ୍ୟ ଯାନବାହନ ସହାୟତାରେ ଓଡ଼ିଶା ଫେରିଛନ୍ତି । ତେବେ ବର୍ଡର ଚେକ୍‌ ପଏଣ୍ଟରେ ଚେକିଂ ପରେ ଅଧା ରାସ୍ତାରେ ବସ୍‌ରୁ ଓହ୍ଲାଇ ନିଜ ନିଜ ଜିଲ୍ଲାକୁ ଯାଉଛନ୍ତି ପ୍ରବାସୀ । ଜନସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏଭଳି ଓହ୍ଲାଇବାକୁ ବାରଣ କରାଯାଇଛି । ଯଦି ଏଭଳି କିଛି ଘଟେ ସମ୍ପୃକ୍ତ ଗାଡ଼ିକୁ ଅଟକ ରଖାଯିବ ସହ ଚାଳକକୁ ମଧ୍ୟ ଅଟକ ରଖାଯାଇ ଅନୁସନ୍ଧାନ କରାଯିବ ବୋଲି କରୋନା ସମ୍ପର୍କିତ ପ୍ରେସମିଟରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ।

ଅପରପକ୍ଷରେ ଓଡ଼ିଶାରେ ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ପାଇଁ ଇ-ପାସ୍‌ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକେ ରାଜ୍ୟ ସରକାରଙ୍କ covid-19.odisha.gov.inରେ ଆବେଦନ କରିପାରିବେ । ସରକାରଙ୍କ ଅନୁମତି ପରେ ତାଙ୍କୁ ଇମେଲ୍ କିମ୍ୱା ଏସ୍‌ଏମ୍‌ଏସ୍‌ ଜରିଆରେ ପାସ୍‌ ପ୍ରଦାନ କରାଯିବ । ଯେଉଁଥିରେ ଫେରିଯିବା ପାଇଁ ସେ ବ୍ୟବହାର କରୁଥିବା ବାହନ ସହ ଅନ୍ୟାନ୍ୟ ବିବରଣୀ ଉଲ୍ଲେଖ ରହିବ ।

ରାଜ୍ୟରେ କୋଭିଡ-୧୯ ମୁକାବିଲା ନେଇ ୬୭୯୮ ଗ୍ରାମପଞ୍ଚାୟତରେ ୧୨ ହଜାର ୪୧୬ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ କରାଯାଇଛି । ଯେଉଁଠାରେ ୫ଲକ୍ଷ ଶଯ୍ୟାର ବ୍ୟବସ୍ଥା ହୋଇଛି । ମାଇ୬ ଠାରୁ ମଇ୭ ମଧ୍ୟରେ ରାଜ୍ୟରେ କୋଭିଡ-୧୯ ନିୟମ ଉଲ୍ଲଘଂନ ଅଭିଯୋଗରେ ମୋଟ ୨୪ ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨୩ଟି ମାମଲା ଲକ୍‌ଡାଉନ୍ ନିୟମ ଉଲ୍ଲଘଂନ ନେଇ ହୋଇଥିବା ବେଳେ ଅନ୍ୟ ଗୋଟିଏ ମାମଲା ହୋମ୍‌କ୍ୱାରେଣ୍ଟାଇନ୍‌ ସମ୍ପର୍କିତ ରହିଛି  ।

Leave a Reply