ଋଣ ଜାଲିଆତି: ୮୧ ମହିଳା ବୁଣାକାରଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା ଚଳୁ

1 min read

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ ଅତାଠାରେ ଥିବା ମହିଳା ବୟନ କେନ୍ଦ୍ରରେ ଋଣ ଜାଲିଆତି । ପୂର୍ବତନ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ ଆଣିଲେ ୮୧ ଜଣ ବୁଣାକାର । ସେମାନଙ୍କ ନାଁରେ ବ୍ୟାଙ୍କରୁ ଋଣ ଉଠାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ । ପରିଶୋଧ ପାଇଁ ନୋଟିସ୍ ଆସିବା ପରେ ବୁଣାକାରମାନେ ଚିନ୍ତାରେ । ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି ।

ସୂଚନାଯୋଗ୍ୟ, ଏହି ବୁଣାକାରମାନେ କେବେ ଋଣ ନେଇ ନାହାନ୍ତି । ବ୍ୟାଙ୍କ ବାରଣ୍ଡା ମଧ୍ୟ ମାଡ଼ି ନାହାନ୍ତି  । କିନ୍ତୁ ଋଣ ପରିଶୋଧ ପାଇଁ ଆସିଛି ନୋଟିସ । ୪୨୦ ବାବୁ ପଣସ ଖାଇ ପରମୁଣ୍ଡରେ ଅଠା ବୋଳି ଦେଇଥିବା ଅଭିଯୋଗ । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ ଅତା ମହିଳା ବୟନ କେନ୍ଦ୍ରର ସଦସ୍ୟାମାନେ ଏହି ଅଭିଯୋଗ ଆଣିଛନ୍ତି । ବୁଣାକାର ସମବାୟ ସମିତିର ପୂର୍ବତନ ସମ୍ପାଦକ ଅକ୍ଷୟ କୁମାର ପାଗଳ ଋଣ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ଅକ୍ଷୟ କୁମାର ପାଗଳଙ୍କୁ ଦୁର୍ନୀତି ଅଭିଯୋଗରେ ୨୦୨୧ ମସିହା ଅଗଷ୍ଟ ମାସରେ ଉଚ୍ଚ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କୃତ କରିଥିଲେ  l ଏବେ ତାଙ୍କ କଳା କାରନାମାରେ ଋଣ ଜାଲିଆତିର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ଅକ୍ଷୟ ପାଗଳ ପଦବୀରେ ଥିବା ବେଳେ ୨୦୧୬ରୁ ୧୮ ଆର୍ଥିକବର୍ଷ ମଧ୍ୟରେ ୮୧ ଜଣ ବୁଣାକାରଙ୍କ ନାଁରେ ବ୍ୟାଙ୍କ ଅଫ ଇଣ୍ଡିଆ ଘଷିପୁରା ଶାଖାରୁ ୫୦ ହଜାର ଟଙ୍କା ଲେଖାଏଁ ଋଣ ଉଠାଇ ସବୁ ଅର୍ଥ ଚଳୁ କରିଥିବା ଅଭିଯୋଗ ହୋଇଛି । ଏବେ ଋଣ ଖିଲାପୀ ଭାବେ ବ୍ୟାଙ୍କ ତରଫରୁ କୋର୍ଟ ନେଟିସ୍ ପରେ ମହିଳା ବୟନ କେନ୍ଦ୍ରର ସଦସ୍ୟାମାନେ ଚିନ୍ତାରେ ପଡ଼ିଛନ୍ତି ।

ସେପଟେ ଅଭିଯୋଗକୁ ନେଇ ବେଫିକର ବହିଷ୍କୃତ ସମ୍ପାଦକ । ଯିଏ ଋଣ ନେଇଛି ସେ ଶୁଝିବ । ନଚେତ ବ୍ୟାଙ୍କ କର୍ତ୍ତୃପକ୍ଷ ବୁଝିବେ ବୋଲି ଅକ୍ଷୟ କୁମାର ପାଗଳ କହିଛନ୍ତି । ନୋଟିସ ପାଇଥିବା ମହିଳାମାନେ ଏବେ କୋର୍ଟ ଓ ବ୍ୟାଙ୍କକୁ ଦୌଡୁଛନ୍ତି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।