ଆଇଟି କ୍ଷେତ୍ରରେ ନୂଆ ଅଧ୍ୟାୟ, IBM ପରେ ଭୁବନେଶ୍ୱରରେ ହାପିଏଷ୍ଟ ମାଇଣ୍ଡସ

1 min read

ଭୁବନେଶ୍ୱର: ରାଜ୍ୟରେ ଆଇଟି ଇକୋସିଷ୍ଟମ କ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ । IBM ପରେ ଭୁବନେଶ୍ୱରରେ ପାଦ ଥାପିଛି ଆଇଟି କମ୍ପାନୀ ହାପିଏଷ୍ଟ ମାଇଣ୍ଡସ । ଜୟଦେବବିହାରସ୍ଥିତ ଫରଚ୍ୟୁନ ଟାଓ୍ବାରରେ ହାପିଏଷ୍ଟ ମାଇଣ୍ଡସ ଆଇଟି ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେଣ୍ଟରେ ୧ ହଜାରରୁ ଅଧିକ ଆଇଟି କର୍ମଚାରୀ ନିଯୁକ୍ତି ସୁଯୋଗ ପାଇବେ । ଆଗାମୀ ଦିନରେ ଏହି କମ୍ପାନୀ ବିଶ୍ବସ୍ତରରେ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ହାପିଏଷ୍ଟ ମାଇଣ୍ଡସ ଆଇଟି ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିବା ଅବସରରେ ରାଜ୍ୟ ଆଇଟି ସେକ୍ଟର କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲଗାତାର ସଫଳତା ମିଳୁଥିବାରୁ ଏହା ଆଇଟି କମ୍ପାନୀଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିଛି । ଆଇଟି କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବାରେ ଓଡ଼ିଶା ସାରାଦେଶରେ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଓଡ଼ିଶା ବର୍ତ୍ତମାନ ଭାରତରେ ପ୍ରମୁଖ ପ୍ରଯୁକ୍ତି ସମ୍ବଳ ହବ୍ ଭାବେ ପରିଣତ ହେବାରେ ଲାଗିଛି । ସବୁପ୍ରକାର ସୁବିଧା ଉପଲବ୍ଧ ହେଉଥିବାରୁ ଅଧିକାଂଶ ବଡ଼ ବଡ଼ ଆଇଟି କମ୍ପାନୀ ରାଜଧାନୀ ଭୁବନେଶ୍ବରେ ପହଞ୍ଚି ସାରିଛନ୍ତି । ରାଜ୍ୟରେ ଆଇଟି ସେକ୍ଟର ପାଇଁ ଉପଯୁକ୍ତ ପରିବେଶ, ପ୍ରତିଭା ରହିଥିବାରୁ ଆଗାମୀ ଦିନରେ ଓଡ଼ିଶା ଏକ ପ୍ରତିଷ୍ଠିତ ଆଇଟି ହବ୍ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ଆଗାମୀ ବର୍ଷମାନଙ୍କରେ ଓଡ଼ିଶାର ପ୍ରତିଭାବାନ୍‍ ଇଞ୍ଜିନିୟରମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ । ଏହି କେନ୍ଦ୍ର ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ସହିତ ଆଇଟି କ୍ଷେତ୍ରରେ ରାଜ୍ୟ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦ୍ରୁତଗତିରେ ଭାରତର ପ୍ରଯୁକ୍ତି ବିଜ୍ଞାନ ଉତ୍ସ କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।”

ଭୁବନେଶ୍ୱରରେ ଉପଲବ୍ଧ ଆଇଟି ଅନୁକୂଳ ଇକୋସିଷ୍ଟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନେକ ଆଇଟି କମ୍ପାନୀ ଏଠାରେ ନିବେଶ କରିବା ପାଇଁ ଆଗ୍ରହୀ । ‘‘ଓଡ଼ିଶାର ଅନୁକୂଳ ପରିବେଶ, ସରକାରୀ ସହାୟତା ଏବଂ ବିପୁଳ ମେଧା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିଛି । ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଖୋଲିବାଦ୍ୱାରା ଆଇ.ଟି. କ୍ଷେତ୍ରରେ ଆଉ ଏକ ସ୍ଵତନ୍ତ୍ର ଅଧ୍ୟାୟ ଯୋଗ ହୋଇଛି ।’’ ଏହା ରାଜ୍ୟର ସକ୍ରିୟ ଆଇଟି ଇକୋସିଷ୍ଟମର ସୂଚନା ଦେଉଛି ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରର ନିରବଚ୍ଛିନ୍ନ ଗ୍ରାହକ ଅଭିଜ୍ଞତା, ବ୍ୟବସାୟ ଦକ୍ଷତା ଏବଂ କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ଉଦ୍ୟୋଗଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନ ସମାଧାନ ବିତରଣ କରିବା ଲାଗି କ୍ଷମତା ବିସ୍ତାର କରିବା ପାଇଁ ଏହି ନୂତନ ଶାଖାକୁ ସକ୍ଷମ କରିବ । କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବ୍ଲକ୍ ଚେନ୍, କ୍ଲାଉଡ୍, ଡିଜିଟାଲ୍ ପ୍ରକ୍ରିୟା ସ୍ୱୟଂକରଣ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ, ରୋବୋଟିକ୍ସ/ଡ୍ରୋନ୍, ସୁରକ୍ଷା ଏବଂ ଭର୍ଚୁଆଲ୍/ଅଗ୍‍ମେଣ୍ଟେଡ୍‍ ରିଆଲିଟି କ୍ଷେତ୍ରରେ ନିଜର ବଳୟକୁ ସମୃଦ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛି ।