ଭୁବନେଶ୍ୱର: ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅନୁଷ୍ଠିତ ହୋଇଛି ଓଡ଼ିଶା ଦିବସ । ଦିଲ୍ଲୀ ଦେଖିଲା ଓଡିଶା କଳା ସଂସ୍କୃତିର ଝଲକ । ଏହା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କଲେ ଦିଲ୍ଲୀବାସୀ । ଚଳିତ ବର୍ଷର ଥିମ ରହିଛି ଲୋକାଲ ଭର ଭୋକାଲ, ଭୋକାଲ ଟୁ ଲୋକାଲ । ଓଡ଼ିଶୀ, ସମ୍ବଲପୁରୀ, ବଜାସାଲ ଏବଂ ଆଧୁନିକ ନୃତ୍ୟ ପ୍ରଦର୍ଶିତ କରାଯାଇଛି ।

ରୁଦ୍ରାକ୍ଷ ଫାଉଣ୍ଡେସନର କଳାକାର ଓଡ଼ିଶୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନ ବଜାସାଲ, ସମ୍ବଲପୁର ଲହରୀ ଅନୁଷ୍ଠାନର କଳାକାର ଡାଲଖାଇ ପରିବେଶଣ କରିଥିଲେ । ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ଉନ୍ମୋଚନ କରାଯାଇଛି। କରୋନା ପାଇଁ ଦୁଇବର୍ଷ ପରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆୟୋଜିତ ହୋଇଛି ଓଡିଶା ଦିବସ ।

ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ, ଦିଲ୍ଲୀ ଆବାସିକ କମିସନର ରବି କାନ୍ତ , ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମାନନୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲେଲିନ୍ ମହାନ୍ତି ଏବଂ ଉତ୍କଳ ପ୍ରସଙ୍ଗ ଓଡିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।