ଜେପି. ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା; ବଙ୍ଗଳାର ୨ ଅଧିକାରୀଙ୍କୁ ଗୃହ ମନ୍ତ୍ରାଳୟର ସମନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡାଙ୍କ ଗାଡ଼ି ଉପରକୁ ଗୁରୁବାର ଦିନ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗର ଦୁଇ ଅଧିକାରୀଙ୍କୁ ସମନ କରାଯାଇଛି ।

ସୂଚନା ମୁତାବକ ଏହି ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମନ ଜାରି କରିଛି । ଏପରିକି କିଭଳି ଭାବେ ନଡ୍ଡାଙ୍କ ଗାଡି ଉପରେ ଦୁର୍ବୃତ୍ତ ଆକ୍ରମଣ କଲେ,
ସେନେଇ ରିପୋର୍ଟ ମାଗିଛି ମନ୍ତ୍ରାଳୟ । ଆସନ୍ତା ୧୪ ତାରିଖରେ ହାଜର ହୋଇ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟପାଳ ଜଗଦୀପ ଧନଖଣ୍ଡ । ରାଜ୍ୟରେ ମମତା ବାନାର୍ଜୀ ତାନାସାହି ସରକାର ଚଳାଇଛନ୍ତି ବୋଲି ଆକ୍ଷେପ ମଧ୍ୟ କରାଯାଇଛି। ଗଣତନ୍ତ୍ର ରାଷ୍ଟ୍ରରେ ଏହା ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରାଜ୍ୟପାଳ ।

ଏହି ଘଟଣାକୁ ଅନ୍ୟଦଳର ନେତା ମଧ୍ୟ ନାପସନ୍ଦ କରିଛନ୍ତି । ଗତକାଲି ଜେ. ପି. ନଡ୍ଡାଙ୍କ ଗାଡ଼ି ଉପରେ ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲା ବିଜେପି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡାଏମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା ।

ତେବେ ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବା ବେଳେ କ୍ଷମତା ଦଖଲ ପାଇଁ ଟିଏମ୍‌ସି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଏକପ୍ରକାର ପଲିଟିକାଲ ଓ୍ୱାର୍‌ । ବିଜେପିର ବରିଷ୍ଠ ନେତାମାନେ ମମତା ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାଁନ୍ତି ।

Leave a Reply