ହଲିଡେ ହୋମଓ୍ବାର୍କ ପ୍ରୋଗ୍ରାମ ଆରମ୍ଭ, ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି

ଭୁବନେଶ୍ବର: ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ଅବକାଶକାଳୀନ ଗୃହକାର୍ଯ୍ୟ । ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଯୋଜନା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦଶରେ ଆରମ୍ଭ ହେଲା ହଲିଡେ ହୋମଓ୍ବାର୍କ ପ୍ରୋଗ୍ରାମ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ସ୍କୁଲକୁ ଦିଆଯାଇଛି ଏସଓପି ଏବଂ ନିୟମାବଳୀ ।

ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲାଯାଇ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ସରକାରୀ ଛୁଟିଦିନ ବ୍ୟତିତ ଅନ୍ୟ ସବୁଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଜାରି ରହିବ । ପ୍ରତ୍ୟେକ ବିଦ୍ୟାର୍ଥୀ ନିକଟରେ ସହାୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଟୋଲଫ୍ରି ନମ୍ବର ବ୍ୟବସ୍ଥା କରାଯାଇଛି ।

ଏହି ଟୋଲଫ୍ରି ନମ୍ବର ଜରିଆରେ ଛାତ୍ରଛାତ୍ରୀ ସେମାନଙ୍କ ପ୍ରଶ୍ନ ସିଧାସଳଖ ପଚାରି ପାରିବେ ଏବଂ ନିୟୋଜିତ ଶିକ୍ଷକମାନେ ଏହାର ସମାଧାନ କରିବେ । କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ପଦକ୍ଷେପ ଗ୍ରହଣ କରାଯାଉଛି । ପାଠ୍ୟକ୍ରମ ସମ୍ବନ୍ଧିତ ଅନୁଭୂତ ସମସ୍ୟାର ସରଳ ସମାଧାନ ଓ ସ୍ପଷ୍ଟୀକରଣ ନିମନ୍ତେ ୧୪ ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।