ହକି ବିଶ୍ୱକପ୍ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରୁ ହକି ବିଶ୍ବକପ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏୟାର ପୋର୍ଟ ଅଥରିଟି ଓ ଭୁବନେଶ୍ବର ଡିସିପି । ବିଶ୍ବକପ ପାଇଁ ରାଜଧାନୀରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ୩ତାରିଖରୁ ଏୟାରପୋର୍ଟରେ ପୋଲିସ କ୍ୟାମ୍ପ । କଣ୍ଟ୍ରୋଲ ରୁମରେ କନେକ୍ଟ ହେବ ସମସ୍ତ ଥାନା । ଟ୍ରାଫିକ, ପାଇଲଟିଂ, ହୋଟେଲ ଉପରେ କଡ଼ାନଜର ରହିବ । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ହକି ମହାକୁମ୍ଭ । ୧୬ ଦିନ ଧରି ଚାଲିବାକୁ ଥିବା ବିଶ୍ବକପରେ ଯୋଗଦେବେ ଭିଆଇପି, ଭିଭିଆଇପି, ବିଦେଶୀ ଦର୍ଶକ ।

ଏହାକୁ ଦୃଷ୍ଟିରେ ରଖି ୫୦ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଯେହେତୁ ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ମ୍ୟାଚ ହେବ ସେଥିପାଇଁ ଆସନ୍ତା ୩ତାରିଖରୁ ୨ପ୍ଲାଟୁନ ଫୋର୍ସ ଏୟାରପୋର୍ଟରେ କ୍ୟାମ୍ପ କରି ରହିବେ। ପ୍ରିପେଡ ଟ୍ୟାକ୍ସିର କାଗଜପତ୍ର, ଡ୍ରାଇଭର ପରିଚୟପତ୍ର ଯାଞ୍ଚ ଆଜିଠାରୁ ଯାଞ୍ଚ ହେବ । ହୋଟେଲ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ପ୍ରତ୍ୟେକ ଯାତ୍ରୀଙ୍କ ଡାଟାବେଶ କମିଶନରେଟ ପୋଲିସ ପାଖରେ ରହିବ ।

ଟ୍ରାଫିକ ସମସ୍ୟାକୁ ରୋକିବା ପାଇଁ ୫ଡିଏସପି ରାଙ୍କର ଅଫିସର ନିୟୋଜିତ ହେବେ । ବିଏମସି ଏଭିକ୍ସନ ଟିମ ସହିତ ରହି ବେଆଇନ ପାର୍କିଂ, ଭେଣ୍ଡିଂ ଉପରେ ନଜର ରଖିବେ । ରାସ୍ତାରେ ଅନଧିକାର ଭାବେ ଗାଡି ରହିଲେ ଟେକିନିଆଯିବ । ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ହେବ । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ବର ସଜେଇ ହେଉଥିବା ବେଳେ ବିମାନବନ୍ଦର ପରିସରରେ ମଧ୍ୟ ସ୍ୟାଣ୍ଡ ଆର୍ଟ, ସେଲ୍ଫି ପଏଣ୍ଟ, ପେଣ୍ଟିଂ କରାଯିବ ।