କାଲିଠୁ ଓଡ଼ିଶାରେ ଅବିଶ୍ରାନ୍ତ ବର୍ଷା, ୭ ଜିଲ୍ଲାକୁ ୟେଲୋ ଆଲର୍ଟ

1 min read

ଭୁବନେଶ୍ୱର: କାଲିଠୁ ଅବିଶ୍ରାନ୍ତ ବର୍ଷାରେ ଭିଜିବ ଓଡ଼ିଶା । ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ କାଲିଠୁ ଆରମ୍ଭ ହେବ ଅବିଶ୍ରାନ୍ତ ବର୍ଷା । ଏଥିପାଇଁ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ତାରିଖରେ ୯ଟି ଜିଲ୍ଲା ଓ ୯ ତାରିଖରେ ୧୬ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ କ୍ଷେତ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବା ପରେ ତାହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡକୁ ମୁହାଁଇବ । ଫଳରେ ଛତିଶଗଡ଼ର ଉପରମୁଣ୍ଡ ସମେତ ତଳମୁଣ୍ଡରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ରୂପ ନେବାର ଅଧିକ ସମ୍ଭାବନା ରହିଛି । ୯ ରୁ ୧୫ ତାରିଖ ମଧ୍ୟରେ ପୁଣି ଏକ ଲଘୁଚାପ ସମ୍ଭାବନା ଥିବାରୁ ଲଗାତାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।