ଦରଦାମ ନିୟନ୍ତ୍ରଣରେ ସରକାର ଫେଲ୍

ନନ୍ଦିଘୋଷ ବ୍ୟୁରୋ: ଦରଦାମ ନିୟନ୍ତ୍ରଣରେ ସରକାର ଫେଲ୍ । ସବୁଆଡୁ ଚାପ ପଡିବା ପରେ ବ୍ୟବସାୟୀଙ୍କ ମୁଣ୍ଡରେ ଅଠାବୋଳି ଖସିଯିବାକୁ ବସିଛନ୍ତି ରାଜ୍ଯ ସରକାର ।  ଯାହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ଆଗାମୀ ଦିନରେ ସରକାରଙ୍କୁ ଆଦୌ ସହଯୋଗ କରାଯିବ ନାହିଁ ବୋଲି ରୋକଠୋକ ଜଣାଇଦେଇଛନ୍ତି ବ୍ଯବସାୟୀ । ଖୁବଶୀଘ୍ର ସାଧାରଣ ଲୋକେ ବି ସରକାରଙ୍କ ହାତ ଛାଡ଼ିଦେବେ ବୋଲି ଚେତାଇ ଦେଇଛି ନାଗରିକ ସୁରକ୍ଷା ମଞ୍ଚ ।

ସରକାରଙ୍କ ବିରୋଧରେ ଖପ୍ପା ବ୍ଯବସାୟୀ । ସରକାରଙ୍କୁ ଖୋଲାଖୋଲି ଅସହଯୋଗ ଚେତାବନୀ । ଦରଦାମ ସଂକଟ ସୃଷ୍ଟି ହେଲେ ବି ସହଯୋଗ କରିବନି ବ୍ଯବସାୟୀ ସଂଘ । ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ସାମିଲ ହେବେନି କି ବନ୍ଯାବତ୍ଯା ବେଳେ ହସ୍ତକ୍ଷେପ କରିବନି । ଲଗାତାର ବ୍ଯବସାୟୀଙ୍କୁ ନେଇ ସରକାରଙ୍କ ନକରାତ୍ମକ ଆଭିମୁଖ୍ଯ ବିରୋଧରେ ଏଭଳି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ବ୍ୟବସାୟୀ ସଂଘ । ତୁରନ୍ତ ମୁଖ୍ଯମନ୍ତ୍ରୀ ଏଥିରେ ହସ୍ତକ୍ଷେପ ନକଲେ ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାଇ ଦେଇଛି ।  ବ୍ଯବସାୟୀ ସଂଘର ଅଭିଯୋଗ, ଆଳୁ ସମସ୍ୟା ବେଳେ ସରକାର କୌଣସି ପଦକ୍ଷେପ ନେଇନଥିଲେ । ବ୍ୟବସାୟୀମାନେ ଆଳୁ ମଗାଇ ଲୋକଙ୍କୁ ଦେଇଥିଲେ। ଏସବୁ ପରେ ବି ରାଜ୍ୟ ସରକାର ବ୍ୟବସାୟୀଙ୍କୁ ନିନ୍ଦିତ କରୁଛନ୍ତି । ଅସାଧୁ ବ୍ଯବସାୟୀଙ୍କୁ ଦଣ୍ଡିତ ନକରି ସମ୍ପୂର୍ଣ୍ଣ ବ୍ୟବସାୟୀ ସମ୍ପ୍ରଦାୟକୁ ବଦନାମ କରାଯାଉଛି । କ୍ଷୁଦ୍ର ବ୍ଯବସାୟୀମାନେ ବି ସରକାରଙ୍କ ଆଭିମୁଖ୍ଯକୁ ସମାଲୋଚନା କରିଛନ୍ତି ।

ରାଜ୍ଯରେ ବିଜେପି ସରକାର ଆସିବା ଦିନଠୁ ଦରଦାମରେ ଲଗାମ ନାହିଁ । ନିଜ ଅପରାଗତାକୁ ଲୁଚାଇବାକୁ ସରକାର କ୍ରମାଗତଭାବେ ଅନ୍ଯ ଉପରେ ଦୋଷ ଲଦୁଥିବା ଅଭିଯୋଗ କରିଛି ନାଗରିକ ସୁରକ୍ଷା ମଞ୍ଚ ।  ବିରୋଧୀ ଥିବାବେଳେ ବିଜେପି ଅନେକ କଥା କହୁଥିଲା । ହେଲେ ଏବେ ସେସବୁ କୁଆଡେ ଗଲା ବୋଲି ମଞ୍ଚ ପ୍ରଶ୍ନ କରିଛି । ଏହାସହ ଚେତାଇଦେଇଛି, ଏବେ ବ୍ୟବସାୟୀ ସଂଘ ସରକାରଙ୍କ ହାତ ଛାଡିଛି, ଆଗକୁ ସାଧାରଣ ଲୋକେ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ଗତ ଚାରିମାସ ଧରି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢି ବଢି ଚାଲିଛି । ଦରଦାମ ସରକାରଙ୍କ ନିୟନ୍ତ୍ରଣରେ ନଥିବାବେଳେ ବ୍ଯବସାୟୀଙ୍କ ଅସହଯୋଗ ଚେତାବନୀ ଆଗକୁ ସଂଗୀନ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।