ପ୍ରଥମ ଅଲମ୍ପିକ୍ସରେ ପଦକ ଭାବେ କ’ଣ ମିଳିଥିଲା ? ଜାଣିଲେ ଆଶ୍ଚର୍ଯ୍ୟ ହେବେ କାହାରିକି ମିଳିନଥିଲା ସ୍ୱର୍ଣ୍ଣପଦକ

1 min read

ଟୋକିଓ: ମାତ୍ର କେଇଟା ଦିନ ପରେ ଆରମ୍ଭ ହେବ ଟୋକିଓ ଅଲମ୍ପିକ୍ସ। କରୋନା ପାଇଁ ୨୦୨୦ରେ ବନ୍ଦ ଥିବା ଅଲମ୍ପିକ୍ସ ୨୦୨୧ ଜୁଲାଇ ୨୩ରେ ଟୋକିଓରେ ହେବାକୁ ଯାଉଛି। ଅଲମ୍ପିକ୍ସକୁ ନେଇ ଅନକେ ଇତିହାସ ସମୟର କାନ୍ଥରେ ଲିପିବଦ୍ଧ ହୋଇ ରହିଛି। କେମିତି ଆରମ୍ଭ ହୋଇଥିଲା ଅଲମ୍ପିକ୍ସ, କିଏ ଏହାକୁ ଆରମ୍ଭ କରିଥିଲେ, କେଉଁ ଦେଶରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ଏମିତି କିଛି ଲୁଚିଯାଇଥିବା ଇତିହାସର କିଛି ଫର୍ଦ୍ଦ ଆପଣଙ୍କ ସାମ୍ନାରେ ରଖିବୁ।

ଅଲିମ୍ପିକ୍ସ ଗେମ୍ସ ହେଉଛି ପ୍ରାଚୀନ ଗ୍ରୀସର ଏକ ହଜିଯାଇଥିବା ପରମ୍ପରା। ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଗ୍ରୀସର ଅଲିମ୍ପିଆରେ ଅନୁଷ୍ଠିତ ହୋଇଥିଲା ଏହି ଅଲମ୍ପିକ୍ସ ଗେମ୍ସ। ୪ ବର୍ଷରେ ଥରେ ଖେଳାଯାଉଥିବା ଅଲମ୍ପିକ୍ସକୁ ରୋମାନ୍ ସମ୍ରାଟ ଥିଓଡୋସିୟସ୍ ବନ୍ଦ କରିଥିଲେ। ଯାହାର ୧୫ଶହ ବର୍ଷ ପରେ ୧୮୯୬ ମସିହାରେ ପୁଣିଥରେ ଆରମ୍ଭ ହୋଇଥିଲା ଅଲମ୍ପିକ୍ସ । ୧୮୯୪ ମସିହାରେ ବାରୋନ୍ ପିଆର ଡି କ୍ୟୁବର୍ଟିନ୍ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (IOC) ପ୍ରତିଷ୍ଠା କରିଥିଲେ। ଯାହା ୧୮୯୬ ମସିହାରେ ଏଥେନ୍ସରେ ପ୍ରଥମ ଆଧୁନିକ ଅଲମ୍ପକ୍ସ ଖେଳକୁ ଆଗେଇ ନେଇଥିଲା।

ଏଥେନ୍ସରେ ପୂନର୍ଜିବନ ପାଇଥିଲା ପ୍ରାଚୀନ ଗ୍ରୀସର ହଜିଯାଇଥିବା ପରମ୍ପରା। ଅଲମ୍ପିକ୍ସର ପୂର୍ବ ନିୟମ ପରି କେବଳ ପୁରୁଷ ଖେଳାଳି ମାନେ ଏଥେନ୍ସ ଗେମ୍ସରେ ଅଂଶଗ୍ରହଣ କରିଥିଲେ। ଆଧୁନିକ ଅଲିମ୍ପିକ୍ସରେ ଏହା ଏକମାତ୍ର ଆୟୋଜନ ଥିଲା ଯେଉଁଥିରେ ମହିଳା ଅଂଶଗ୍ରହଣକାରୀ ନଥିଲେ। ୬ରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ଏହି ଖେଳଗୁଡିକରେ, ୧୪ ଟି ଦେଶର ୨୪୧ ଖେଳାଳି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ। ଖେଳାଳିମାନେ ଆଥଲେଟିକ୍ସ, ସାଇକେଲ ଚଲାଇବା, ସନ୍ତରଣ, ଜିମ୍ନାଷ୍ଟିକ୍, ଭାରୋତ୍ତୋଳନ, କୁସ୍ତି, ଫେନସିଂ, ଶୁଟିଂ ଏବଂ ଟେନିସ୍ ଭଳି ୪୩ ଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ।

ଏବେ ଅଲମ୍ପିକ୍ସରେ କୌଣସି ଖେଳରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଖେଳାଳୀ ଓ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ ମିଳୁଛି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଥମ ଅଲମ୍ପିକ୍ସରେ କାହାରିକି ସ୍ୱର୍ଣ୍ଣ ପଦକ ମିଳିନଥିଲା । କାରଣ ସ୍ୱର୍ଣ୍ଣ ପଦକର ବ୍ୟବସ୍ଥା ହିଁ ନଥିଲା । ୧୮୯୬ ମସିହାର ପ୍ରଥମ ଅଲମ୍ପିକ୍ସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ସ୍ୱର୍ଣ୍ଣ ନୁହେଁ ରୋପ୍ୟ ପଦକ ମିଳିଥିଲା । ରୋପ୍ୟ ପଦକ ସହିତ ସହିତ ଦିଆଯାଇଥିଲା ଅଲିଭ୍ ଶାଖା । ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ମିଳିଥିଲା ବ୍ରୋଞ୍ଜ ପଦକ ଓ ଅଲିଭ୍ ଶାଖା । ଆଉ ସବୁଠାରୁ ମଜାଦାର ତଥା ଦୁଃଖଦ କଥା ହେଉଛି ତୃତୀୟ ସ୍ଥାନ ଅଧିକାରୀଙ୍କୁ କୌଣସି ପଦକ ଦେବାର ବ୍ୟବସ୍ଥା ନଥିଲା । ସେମାନଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡିଥିଲା । ଯେଉଁ ପଦକ ଖେଳାଳୀଙ୍କୁ ଦିଆଯାଇଥିଲା ତାହାର ଗୋଟିଏ ପାର୍ଶ୍ୱରେ ଗ୍ରୀକ୍ ଦେବତା ଜିଓସ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଥିଲା ପ୍ରାଚୀନ ଗ୍ରୀକ୍ ସହର ଏକ୍ରୋପଲିସ୍ର ଚିତ୍ର।

ଆମେରିକୀୟ ଆଥଲେଟ୍ ଜେମ୍ସ କନୋଲି ୧୮୯୬ରେ ଟ୍ରିପଲ୍ ଜମ୍ପ ଇଭେଣ୍ଟ ଜିତି ପ୍ରଥମ ଅଲିମ୍ପିକ୍ ଚାମ୍ପିଅନ୍ ହୋଇଥିଲେ। ସେହିସମୟରେ ଖେଳ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ସଂଗଠିତ ମାରାଥନ୍। ହେଲେ ପ୍ରାୟ ଅଧା ଅଂଶଗ୍ରହଣକାରୀ ହାଲିଆ ହୋଇ ପ୍ରତିଯୋଗିତାରୁ ଓହରି ଯାଇଥିଲେ। ଗ୍ରୀସର ସ୍ପାଇରଡନ୍ ଲୁଇ ଜିତିଥିଲେ ଏହି ଇଭେଣ୍ଟ। ସେପଟେ ଜିଆ ଖାଡି’ରେ ହୋଇଥିଲା ସନ୍ତରଣ ଇଭେଣ୍ଟ। ଅଂଶଗ୍ରହଣକାରୀମାନଙ୍କୁ ପ୍ରଥମେ କାଠରେ ନିର୍ମିତ ଡଙ୍ଗା ସାହାଯ୍ୟରେ ନିଆଯାଇଥିଲା ଏବଂ ସେଠାରୁ ସେମାନେ ପାଣିରେ ପହଁରି କୂଳ ଆଡକୁ ଆସିଥିଲେ। ଆଧୁନିକ ଯୁଗର ଉନ୍ନତ ଧରଣର ପୋଖରୀ ନଥିଲା। ଆଧୁନିକ ଯୁଗର ପ୍ରଥମ ଅଲିମ୍ପିକ୍ସରେ ଜର୍ମାନୀର କାର୍ଲ ଶୁମାନ୍ ସବୁଠାରୁ ସଫଳ ଆଥଲେଟ୍ ଥିଲେ। ଜିମ୍ନାଷ୍ଟିକ୍ ଏବଂ କୁସ୍ତିର ଚାରୋଟି ଇଭେଣ୍ଟରେ ସେ ଶୀର୍ଷରେ ରହିଥିଲେ। ଭାରୋତ୍ତୋଳନରେ ମଧ୍ୟ କାର୍ଲ ଶୁମାନ୍ ଭାଗ ନେଇଥିଲେ।

ତଥ୍ୟ ଅନୁଯାୟୀ ଗ୍ରୀକ୍ ଜିମ୍ନାଷ୍ଟ ଡିମିଟ୍ରୋସ୍ ଲଣ୍ଡ୍ରାସ ସର୍ବକନିଷ୍ଠ ଅଲିମ୍ପିଆନ୍ ହୋଇଥିଲେ। ସେ ୧୦ ବର୍ଷ ୨୧୮ ଦିନ ବୟସରେ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଯାହାର ଅର୍ଥ ହେଉଛି ବିଚରା ଡିମିଟ୍ରୋସଙ୍କୁ କୌଣସି ପଦକ ମିଳିନଥିଲା । ସେ ଖାଲି ହାତରେ ଘରକୁ ଫେରିଥିଲେ । କାରଣ ତୃତୀୟ ସ୍ଥାନ ପାଇଥିବା ଖେଳାଳୀଙ୍କ ପାଇଁ ପଦକ ହିଁ ନଥିଲା ।

Leave a Reply