ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେବେ ଜେନେରାଲ ମନୋଜ ପାଣ୍ଡେ

1 min read

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ବ ନେବେ ଜେନେରାଲ ମନୋଜ ଚନ୍ଦ୍ରଶେଖର ପାଣ୍ଡେ  । ପ୍ରଥମ ଥର ପାଇଁ ଭାରତୀୟ ସ୍ଥଳସେନାର କମାଣ୍ଡ୍ ସେନାର କୋର୍ ଅଫ୍ ଇଞ୍ଜିନିୟର୍ସଙ୍କୁ ଯାଇଛି  । ଜେନେରାଲ୍ ଏମ.ଏମ ନରଓ୍ବାଣେଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି  । ଭାରତୀୟ ସ୍ଥଳସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ବ ନେବେ ଜେନେରାଲ ମନୋଜ ପାଣ୍ଡେ  ।

ତେବେ ନୂଆ ସ୍ଥଳସେନା ମୁଖ୍ୟ ହେବା ପୂର୍ବରୁ ମନୋଜ ପାଣ୍ଡେ ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଅଫିସର ଭାବେ କାର୍ଯ୍ୟରତ ଥିଲେ  ।  ଆଣ୍ଡାମାନ୍ ଓ ନିକୋବର କମାଣ୍ଡ୍ ର କମାଣ୍ଡର ଇନ୍ ଚିଫ୍ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ ଜେନେରାଲ୍ ମନୋଜ ପାଣ୍ଡେ  । ମହାରାଷ୍ଟ୍ର ନାଗପୁରରେ  ଜେନେରାଲ୍ ପାଣ୍ଡେଙ୍କ ଜନ୍ମ  । ପ୍ରାରମ୍ଭିକ ଶିକ୍ଷା ପରେ ଜେନେରାଲ୍ ପାଣ଼୍ଡେ ନ୍ୟାସନାଲ ଡିଫେନସ ଏକାଡେମୀରେ ଭର୍ତ୍ତି ହୋଇଥିଲେ  । ଏନଡିଏ ପରେ ଡେରାଡୁନର ଭାରତୀୟ ମିଲିଟାରୀ ଏକାଡେମୀରେ ବି ଯୋଗ ଦେଇଥିଲେ ଜେନେରାଲ ପାଣ୍ଡେ  ।  ୧୯୮୨ ମସିହା ଡିସେମ୍ବରରେ ସେନାର କୋର୍ ଅଫ ଇଞ୍ଜିନିୟର୍ସରେ ଯୋଗ ଦେଇଥିଲେ ଜେନେରାଲ୍ ମନୋଜ ପାଣ୍ଡେ  ।

୨୦୦୧ରେ ଜାମ୍ମୁ ଓ କାଶ୍ମୀରରେ ଅପରେସନ ପରାକ୍ରମ ବେଳେ ଏକ ଇଂଜିନିୟର ରେଜିମେଣ୍ଟର ନେତୃତ୍ବ ନେଇଥିଲେ ମନୋଜ ପାଣ୍ଡେ । ୩୯ ବର୍ଷର କ୍ୟାରିୟରରେ ମନୋଜ ପାଣ୍ଡେ ଓ୍ବେଷ୍ଟର୍ନ ଥିଏଟରରେ ଏକ ଇଂଜିନିୟର ବ୍ରିଗେଡର କମାଣ୍ଡ ଦାୟିତ୍ବ ନେଇଥିଲେ । ଏଲଓସିରେ ଏକ ପଦାତିକ ବ୍ରିଗେଡ୍ , ଲଦାଖ ସେକ୍ଟରରେ ମାଉଣ୍ଟେନ ଡିଭିଜନ ଏବଂ ଉତ୍ତର-ପୂର୍ବାଞ୍ଚଳରେ କୋର୍ ଅଫ୍ ଇଞ୍ଜିନିୟର୍ସର ନେତୃତ୍ବ ନେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ  । ଇଷ୍ଟର୍ଣ୍ଣ କମାଣ୍ଡର ଦାୟିତ୍ବ ନେବା ପୂର୍ବରୁ ମନୋଜ ପାଣ୍ଡେ ଆଣ୍ଡାମାନ ଓ ନିକୋବର କମାଣ୍ଡର କମାଣ୍ଡର ଇନ୍ ଚିଫ୍  ଦାୟିତ୍ୱରେ ଥିଲେ  ।

ନୂଆ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଉଲ୍ଲେଖନୀୟ ସେବା ପାଇଁ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଓ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହୋଇଛନ୍ତି  ।