ଜରାଜୀର୍ଣ୍ଣ ଅବସ୍ଥାରେ କବିସୂର୍ଯ୍ୟନଗରର ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର

1 min read

ଆସ୍କା: ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ଗଞ୍ଜାମ କବିସୂର୍ଯ୍ୟନଗରର ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର । ଦିନେ ଶିକ୍ଷାର୍ଥୀଙ୍କ ଗହଳି ଜମୁଥିବା ଘର ଆଜି ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ନାଁ ଶୁଭୁଛି ବୀଣାର ସ୍ୱର ନାଁ ବାଜୁଛି ବାଦ୍ୟ । ଅଧାଭଙ୍ଗା ଅନୁଷ୍ଠାନରେ ଲକ୍ଷ ଲକ୍ଷ ଟଙ୍କାର ସରଞ୍ଜାମ ମାଟିରେ ମିଶିବାକୁ ବସିଲାଣି l

ସଙ୍ଗୀତ ଶିକ୍ଷା କରି ଦେଶ ବିଦେଶରେ ସୁନାମ ଅର୍ଜନ କରୁଥିଲେ ବିଦ୍ୟାର୍ଥୀ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଏହି ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିରରେ ପଢୁଥିଲେ ଅନେକ ଛାତ୍ର । କିନ୍ତୁ ଆଜି ଅବହେଳିତ ହୋଇ ପଡିଛି  ଏହି ପୂରାତନ ଅନୁଷ୍ଠାନ । ଫଳରେ ଅସାମାଜିକ ବ୍ୟକ୍ତିଙ୍କର ଏହା ଆଡ୍ଡାସ୍ଥଳୀ ପାଲଟିଛି । ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର ଆଜି ଭଗ୍ନ ଅବସ୍ଥାରେ ପଡ଼ିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସରଞ୍ଜାମ ମାଟିରେ ମିଶିବାକୁ ବସିଗଲାଣି l

୧୯୯୯ ମସିହା ମହାବାତ୍ୟା ପରଠାରୁ ଅବହେଳିତ ଅବସ୍ଥାରେ ପଡିଛି ଗାନ୍ଧିଜୀ ସଙ୍ଗୀତ କଳା ମନ୍ଦିର । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ପକ୍ଷରୁ ଏଥିପ୍ରତି କାହାରି ନିଘା ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଲୁଚି ଯାଇଥିବା ଗାନ୍ଧିଜୀ କଳା ମନ୍ଦିର ପ୍ରତି ଦୃଷ୍ଟି ଦେଲେ ପୁଣି ଏହି ସ୍ଥାନ ପୁର୍ବ ଅବସ୍ଥାକୁ ଫେରି ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି l ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଗାନ୍ଧିଜୀ କଳା ମନ୍ଦିରକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ l