ଗାନ୍ଧିନୀତି ପ୍ରତିଯୋଗିତାର ୨ୟ ଦିବସରେ ୯୫ ବିଦ୍ୟାଳୟ ସାମିଲ

ଯାଜପୁର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅଶୋକ ଦାସ ଫାଉଣ୍ଡେସନ ଓ ଶିକ୍ଷା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଗାନ୍ଧିନୀତି ପ୍ରତିଯୋଗିତାର ଆଜି ୨ୟ ଦିବସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ ୯୫ଟି ବିଦ୍ୟାଳୟର ୨୦୧୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ।

ଯାଜପୁର  ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିଶେଷ ଉଦ୍ୟମ କ୍ରମେ ନିଜ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଥିବା ଗାନ୍ଧିନୀତି ପ୍ରତିଯୋଗିତା ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଯାଜପୁର ବ୍ଲକ୍ ଅନ୍ତର୍ଗତ ମଇଦିପୁର, ସୁଜନପୁର, ଏରବାଙ୍କ, ସ୍ୱପ୍ନେଶ୍ୱରପୁର, ପ୍ରଭାକର ଶିକ୍ଷା କ୍ଲଷ୍ଟର ଅନ୍ତର୍ଗତ ୯୫ଟି ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ।

୩ୟରୁ ୮ମ ଶ୍ରେଣୀ ମଧ୍ୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ୨ଟି ବର୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସ୍ୱଚ୍ଛତା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଅହିଂସା ବିଷୟବସ୍ତୁକୁ ଆଧାର କରି ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜାତି ବିହୀନ ସମାଜ ଗଠନ ପ୍ରସଙ୍ଗକୁ ବକ୍ତୃତା ପ୍ରତିଯୋଗିତାରେ ରଖା ଯାଇଛି । ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ପରୀକ୍ଷା ସୁପରିଚାଳନାରେ ସହଯୋଗ କରିଥିଲେ ।

ଅଶୋକ ଦାସ ଫାଉଣ୍ଡେସନର ବରିଷ୍ଠ କାର୍ଯ୍ୟକର୍ତ୍ତା ଭବପ୍ରସାଦ ଦାସ, ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ବ୍ଲକ୍ ବିଜେଡି ସଭାପତି ପରେଶ କୁମାର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଗଣେଶ ଚନ୍ଦ୍ର ମହାକୁଡ଼, ଯାଜପୁର ବିଇଓ ସ୍ମୃତିରେଖା ନାୟକ ପ୍ରମୁଖ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିଥିଲେ ।

Leave a Reply